କେନ୍ଦୁଝର,୩୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କ ଦସ୍ତଖତ ଥାଇ ଏକ ଜାଲ ନିଯୁକ୍ତି ପତ୍ର ଭାଇରାଲ ହେବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ନିଯୁକ୍ତି ପତ୍ରରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୪ ଜଣ ଏଏନ୍ଏମ୍, ଜୁନିୟର କ୍ଲର୍କ, ଆଟେଣ୍ଡାଣ୍ଟ, ପିଅନ ଆଦି କର୍ମଚାରୀ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ନିଯୁକ୍ତିକୁ ନେଇ ଏହି ଚିଠି ଭାଇରାଲ ହେଉଛି। ଏହାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଥିବା ବେଳେ ଏନେଇ ଟାଉନ ଥାନାରେ ସିଡିଏମଓ ଲିଖିତ ଅଭିଯୋଗ କରିଛନ୍ତି। ଚିଠି ନମ୍ବର ୬୬୮୮/୨୮ ଡିମେମ୍ବର ୨୦୨୨ରେ ଏହି ଅଭିଯୋଗ କରିଛନ୍ତି। ସିଡିଏମଓ ଡ. କେ.ସି.ପୃଷ୍ଟି କହିଛନ୍ତି, ଏଭଳି ଖବର ଆସିବା ପରେ ସେ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଏଥିରେ ସିଡିଏମଓ ଅଫିସର କର୍ମଚାରୀଙ୍କ ହାତ ଥାଇପାରେ ବୋଲି ସ୍ବୀକାର କରିଛନ୍ତି। ତେବେ ଏହି ନିଯୁକ୍ତି ପତ୍ର କେଉଁଠୁ ଓ କାହା ପାଖରୁ ଆସିଲା ସେ ନେଇ କାୈଣସି ସୂଚନା ଅଭିଯୋଗ ପତ୍ରରେ ନ ଥିବାରୁ ମାମଲା ରୁଜୁ ହୋଇନାହିଁ। ଏନେଇ ଥାନାରେ ଏକ କେସ ଡାୟରୀ ହୋଇଛି। ଆବଶ୍ୟକ ସୂଚନା ଦେଲେ ମାମଲା ରୁଜୁ ହେବ ବୋଲି ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି। ଏହି ନିଯୁକ୍ତି ପତ୍ର ସିଡିଏମଓ କେଉଁଠୁ ପାଇଲେ କିମ୍ବା ତାଙ୍କୁ କିଏ ଦେଲା ସେସବୁର ତଦନ୍ତ ହେଲେ ଏହି ସୂତାର ଖିଅ ଧରାପଡ଼ିଯିବ ବୋଲି ମତପ୍ରକାଶ ପାଉଛି। ନିଯୁକ୍ତି ପତ୍ରରେ ନିଯୁକ୍ତି ପାଇଥିବା ୧୪ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏଣୁ କେହି ସେମାନଙ୍କଠାରୁ ଅର୍ଥ ଆଦାୟ ପାଇଁ ଏଭଳି କରିଥାଇ ପାରେ କିମ୍ବା ସିଡିଏମଓଙ୍କୁ ବଦନାମ କରିବାକୁ କରିଥିବ ତାହାର ତଦନ୍ତ ଦାବି ହେଉଛି।