ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା: ଶିବକୁମାର କିମ୍ବା ରେଭନ୍ଥ ଭଳି ନେତା ଥିଲେ

ଭୁବନେଶ୍ୱର,୮।୩: ଆସନ୍ତା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଓଡ଼ିଶାରେ ରାଜନୀତି ରୋଚକ ସ୍ତରରେ । ଚାରିଆଡ଼େ ଆଲୋଚନା ହେଉଛି ଏଠାରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ। ସେଥିପାଇଁ ଉଭୟ ଦଳର ଆଶାୟୀ ଆଶଙ୍କାରେ। ଦୀର୍ଘବର୍ଷ ହେବ ନିଜ ଅଞ୍ଚଳରେ ସଙ୍ଗଠନ କରିଆସିଥିବା ଦୁଇ ଦଳର ଆଶାୟୀଙ୍କ ମଧ୍ୟରୁ କିଏ ଟିକେଟ ପାଇବେ, ସେନେଇ ସେମାନେ ସନ୍ଦିହାନ। ବୁଧବାର ସନ୍ଧ୍ୟାରେ ବିଜେଡି-ଭାଜପା ମେଣ୍ଟ ବିଷୟରେ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ତାହା ରାଜ୍ୟର କୋଣଅନୁକୋଣକୁ କ୍ଷିପ୍ର ବେଗରେ ବ୍ୟାପିଗଲା। ଗୁରୁବାର ଦିନତମାମ ଗୋଟେ କଥା ଚାଲିଲା ଉପରସ୍ତରରେ ବଡ଼ବଡ଼ିଆ ମେଣ୍ଟ ପାଇଁ କସରତ କରୁଛନ୍ତି, ହେଲେ ତଳସ୍ତରରେ ଉଭୟ ଦଳର କର୍ମୀ ପରସ୍ପରକୁ ଭରସିପାରୁ ନାହାନ୍ତି। କେତେ ଜଣ କହୁଥିବା ଶୁଣିବାକୁ ମିଳିଛି ଯେ, ଏଭଳି ସମୟରେ ଭୋଟ କଂଗ୍ରେସକୁ ଦେଇଦେଲେ ସେମାନେ ପାନେ ପାଆନ୍ତେ। ହେଲେ ଆଉ କିଛି କହିବାକୁ ପଛାଇ ନ ଥିଲେ ଯେ ଏଠି କଂଗ୍ରେସର ସେଭଳି ନେତା କାହାନ୍ତି, ଯାହାଙ୍କୁ ଦେଖି ଭୋଟର ଇଭିଏମ୍‌ ସୁଇଚ୍‌ ଟିପିବେ। କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର କିମ୍ବା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ଭଳି ନେତା ଥିଲେ, ଭୋଟଗୁଡ଼ା କଂଗ୍ରେସମୁହାଁ ହୋଇଥାଆନ୍ତା। କିନ୍ତୁ ଏଠାରେ କଂଗ୍ରେସ କହିଲେ ନିରଞ୍ଜନ ଓ ଶରତଙ୍କୁ ବୁଝାଯାଏ, ଯେଉଁମାନେ ସାଧାରଣ ଲୋକଙ୍କଠାରେ ଆଦୌ ଗ୍ରହଣୀୟ ହୋଇପାରୁନାହାନ୍ତି।

କୌଣସି ‘ବି’ ନୁହେଁ, ‘ସି’

ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ଏକାଠି ଲଢ଼ିବାକୁ ଅନେକେ ନାପସନ୍ଦ କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଛନ୍ତି। ଏଭଳି ସମ୍ଭାବ୍ୟ ମେଣ୍ଟକୁ କେହି କେହି ଚୋର-ପୋଲିସ ମେଣ୍ଟ ଆଖ୍ୟା ଦେଉଥିବାବେଳେ କିଏ କିଏ କହୁଛନ୍ତି, ଏହା ମେଣ୍ଟ ନୁହେଁ, ପରସ୍ପର ମଧ୍ୟରେ ଆତ୍ମସମର୍ପଣ। ସେହିପରି ଅନେକେ ମନ୍ତବ୍ୟ ଦେଉଛନ୍ତି ଯେ ଏଥର ନିର୍ବାଚନରେ କୌଣସି ‘ବି’ (ବିଜେଡି, ବିଜେପି) ନୁହେଁ, ‘ସି’ (କଂଗ୍ରେସ)କୁ ପସନ୍ଦ କରିବୁ। କଂଗ୍ରେସ ହିଁ ଶାସକ ଦଳର ବିକଳ୍ପ ହୋଇପାରିବ ବୋଲି ସେମାନେ କହୁଛନ୍ତି।

Share