‘ଡନ୍‌-୩’ରେ ରଣବୀରଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା

ମୁମ୍ବାଇ: ସିନେ ନିର୍ଦ୍ଦେଶକ ଫରହାନ ଅଖତର ଫିଲ୍ମ ‘ଡନ୍‌-୩’କୁ ନେଇ ସୋସିଆଲ ମିଡିଆରେ କିଛି ତଥ୍ୟ ଘୋଷଣା କରିଛନ୍ତି, ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଛି। ସିନେମାରେ ଶାହରୁଖ ଖାନ୍‌ଙ୍କ ସ୍ଥାନରେ ରଣବୀର ସିଂ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଫଳରେ ପ୍ରଶଂସକମାନେ ଏବେ ‘ନୋ ଶାହରୁଖ୍‌, ନୋ ‘ଡନ୍‌’ ଲେଖି ବିରୋଧ ଜାରି ରଖିଛନ୍ତି। ‘ଡନ୍‌’, ‘ଡନ୍‌-୨’ରେ ଶାହାରୁଖଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏବେ ‘ଡନ୍‌-୩’ରେ ତାଙ୍କ ବ୍ୟତୀତ ଅନ୍ୟ କାହାକୁ ଦେଖିବାକୁ ଚାହାନ୍ତିନି ବୋଲି ପ୍ରଶଂସକ କମେଣ୍ଟରେ କହିଛନ୍ତି। ‘ଡନ୍‌-୩’ରେ ରଣବୀରଙ୍କ ପ୍ରବେଶ ଶାହାରୁଖଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। ଫରହାନଙ୍କ ନିର୍ଦ୍ଦେଶିତ ‘ଡନ୍‌’, ଡନ୍‌-୨’ରେ ପ୍ରିୟଙ୍କା ଚୋପ୍ରା, ବୋମାନ ଇରାନୀଙ୍କ ସହ ଶାହରୁଖ ଟାଇଟଲ ଭୂମିକାରେ ଅଭିନୟ କରିଥିଲେ। ଯାହା ବେଶ୍‌ ହିଟ୍‌ ହୋଇଥିଲା। ପରେ ପ୍ରଶଂସକଙ୍କ ଡିମାଣ୍ଡକୁ ଦେଖି ନିର୍ଦ୍ଦେଶକ ଫରହାନ ‘ଡନ୍‌-୩’ କରିବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଉଛି ଯେ, ଫରହାନ ଫିଲ୍ମରେ ଶାହାରୁଖଙ୍କୁ ନେବାକୁ ଚାହୁଁଥିଲେ, ହେଲେ ଶାହାରୁଖ ତାଙ୍କର ଅନ୍ୟ ଏକ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ସେ ତାଙ୍କ ବଦଳରେ ରଣବୀରଙ୍କୁ ବାଛିଛନ୍ତି। କିନ୍ତୁ ଫରହାନ୍‌ ଏବଂ ଶାହାରୁଖଙ୍କଠାରୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ନିକଟରେ ରିଲିଜ୍‌ ହୋଇଥିବା ରଣବୀରଙ୍କ ଫିଲ୍ମ ‘ରକି ଅର୍‌ ରାନୀ କି ପ୍ରେମ୍‌ କାହାନୀ’ ବକ୍ସ ଅଫିସରେ ୧୦୦ କୋଟି ଆୟ କରିଛି।

Share