କଥା ବେଶି, କାମ କମ୍‌

ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ର ଦୁବାଇରେ ୩୦ ନଭେମ୍ବରରୁ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍‌ ୨୮ ଆରମ୍ଭ ହୋଇଛି। ଏଥିରେ ସଦସ୍ୟ ଦେଶର ନେତା, ଜଳବାୟୁ କର୍ମକର୍ତ୍ତା ଓ ବିଭିନ୍ନ ସଂଗଠନ ଯୋଗଦେଇଛନ୍ତି। ଚଳିତ ବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ଅକ୍ଷୟ ଶକ୍ତି ଉପତ୍ାଦନ ବଢ଼ାଇବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଥିବାବେଳେ ଏବେ କପ୍‌୨୮ରେ ଏହାର ବ୍ୟତିକ୍ରମ ଦେଖାଇଛି। ୨୦୩୦ ସୁଦ୍ଧା ଅକ୍ଷୟଶକ୍ତି ୩ ଗୁଣ ବୃଦ୍ଧି ଲକ୍ଷ୍ୟରେ କୋଇଲା ବ୍ୟବହାର ପର୍ଯ୍ୟୟକ୍ରମେ ହ୍ରାସ କରିବା ଲାଗି କପ୍‌୨୮ରେ ଅଣାଯାଇଥିବା ସଙ୍କଳ୍ପପତ୍ରରେ ଭାରତ ସ୍ବାକ୍ଷର କରିବାରୁ ଦୂରେଇ ଯାଇଛି। ଚାଇନା ମଧ୍ୟ ସମାନ ପ୍ରକାର ପଦକ୍ଷେପ ନେଇଛି। ଏଠାରେ ସୂଚିତ କରାଯାଇପାରେ ଯେ, ବିଶ୍ୱ ଅଙ୍ଗାରକ ନିର୍ଗମନ ହାରରେ ଆମେରିକା ଓ ଚାଇନା ପଛକୁ ଭାରତ ଅଛି। ଏହି ତିନି ଦେଶ ସହ ରୁଷିଆ, ଜାପାନ ଓ ଜର୍ମାନୀ ବିଶ୍ୱରେ ୬୦ ପ୍ରତିଶତରୁ ଅଧିକ ଅଙ୍ଗାରକ ନିର୍ଗମନ କରୁଛନ୍ତି। ଅନ୍ୟପକ୍ଷରେ ୟୁରୋପୀୟ ସଂଘ, ଆମେରିକା ଓ ୟୁଏଇ ସମେତ ୧୧୭ ଦେଶ ପର୍ଯ୍ୟାୟ କ୍ରମେ କୋଇଲା ବ୍ୟବହାର ହ୍ରାସ ଲାଗି ବୁଝାମଣା କରୁଛନ୍ତି। ଏହିସବୁ ପ୍ରତିଶ୍ରୁତି କେତେ ଫଳପ୍ରଦ ହେବ ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୂର୍ବରୁ ଅନୁଷ୍ଠିତ ୨୭ଟି ଜଳବାୟୁ ସମ୍ପର୍କିତ ସମ୍ମିଳନୀରୁ କେତେ ଲାଭ ମିଳିଛି ତାହା ବିଶ୍ୱ ନେତୃବର୍ଗ ଭଲ ଭାବେ ଅବଗତ।
ସମସ୍ତେ ଜାଣନ୍ତି, ଚାଇନା ସର୍ବାଧିକ କୋଇଲାଭିତ୍ତିକ ଶକ୍ତି ଉତ୍ପାଦନକାରୀ ରାଷ୍ଟ୍ର। ବିଶ୍ୱରେ ବ୍ୟବହୃତ କୋଇଲା ମଧ୍ୟରୁ ଚାଇନା ୫୦.୫ ପ୍ରତିଶତ ବ୍ୟବହାର କରୁଥିବା ବେଳେ ଭାରତର ଭାଗ ରହିଛି ୧୧.୩ ପ୍ରତିଶତ। ସେହିପରି ଆମେରିକା ୮.୫ ପ୍ରତିଶତ ଏବଂ ଜର୍ମାନୀ ୩ ପ୍ରତିଶତ କୋଇଲା ବ୍ୟବହାର କରୁଛନ୍ତି। ଭାରତ ପରିପ୍ରେକ୍ଷୀରେ ଦେଖିଲେ ତା’ ଚାହିଦାର ୭୩ ଭାଗ ଶକ୍ତି କୋଇଲାରୁ ପାଉଛି। ତେଣୁ କପ୍‌୨୮ରେ କୋଇଲାକୁ ପର୍ଯ୍ୟାୟ କ୍ରମେ ହ୍ରାସ କରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯେଉଁ ଡାକରା ଦିଆଯାଇଛି, ସେଥିରେ ଭାରତ ସହମତ ହୋଇପାରି ନାହିଁ। ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା ପର୍ଯ୍ୟାୟକ୍ରମେ କୋଇଲା ଉପଯୋଗକୁ ହ୍ରାସ କରିବା ଦୂରର କଥା, ଭାରତ ୬୫.୩ ଗିଗାଓ୍ବାଟ କୋଇଲାଭିତ୍ତିକ ଶକ୍ତି ଉତ୍ପାଦନ ଲାଗି ଆଗକୁ ଯୋଜନା ରଖିଛି। ଯେପର୍ଯ୍ୟନ୍ତ ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରି ଭାରତ ପାରମ୍ପରିକ ଉତ୍ସରୁ ଅଧିକ ସବୁଜ ଶକ୍ତି ଉତ୍ପାଦନ ନ କରିଛି, ସେଯାଏ କୋଇଲା ଭିତରେ ଘାଣ୍ଟି ହେଉଥିବ। କୋଇଲା କେଡ଼େ ମାରାତ୍ମକ ତାହା ଉତ୍ପାଦନ ହେଉଥିବା ଅଞ୍ଚଳର ବାସିନ୍ଦା ଅଙ୍ଗେ ନିଭାଉଛନ୍ତି। ଓଡ଼ିଶା ସମେତ ଦେଶରେ କୋଇଲାଭିତ୍ତିକ ପ୍ରଦୂଷଣ ଓ ନିର୍ଗମନର କୁପ୍ରଭାବ ଜନସାଧାରଣ ବିଶେଷକରି ଏହା ସ୍ଥାନୀୟ ଲୋକଙ୍କୁ ଅତିଷ୍ଠ କରୁଛି। କୋଇଲାରୁ ସର୍ବାଧିକ ଅଙ୍ଗାରକ ନିର୍ଗମନ ହେଉଛି। ଏଥିସହିତ କୋଇଲାଭିତ୍ତିକ କଳକାରଖାନାରୁ ଉତ୍ପନ୍ନ ଫ୍ଲାଏ ଆଶ୍‌ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ପ୍ରଦୂଷଣକୁ ବଢ଼ାଇ ଦେଉଛି। ଏଭଳି ସ୍ଥଳେ ଯେଉଁ ଘରୋଇ ସଂସ୍ଥାଗୁଡ଼ିକ କୋଇଲା ବ୍ୟବହାର ଉପରେ ଅଧିକ ନିର୍ଭରଶୀଳ ରହୁଛନ୍ତି, ସେଗୁଡ଼ିକ ବିକଳ୍ପ ସବୁଜ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ଦେବା କଥା। ଏଥିସହିତ ସରକାର ମଧ୍ୟ ସେହି ବଡ଼ କମ୍ପାନୀଗୁଡ଼ିକ ଉପରେ ଏହି ଦିଗରେ କାର୍ଯ୍ୟ କରିବାକୁ ଚାପ ପକାଇବା ଦରକାର। କୌତୂହଳର ବିଷୟ ହେଲା, କପ୍‌ ୨୭ରେ ଭାରତ କହିଥିଲା ଯେ ୨୦୭୦ ସୁଦ୍ଧା ଦେଶକୁ ଶୂନ୍ୟ ନିର୍ଗମନ ସ୍ତରରେ ନେଇ ପହଞ୍ଚାଇବ। ହେଲେ କପ୍‌୨୮ ସଙ୍କଳ୍ପପତ୍ରରେ ଉଲ୍ଲିଖିତ ପର୍ଯ୍ୟାୟକ୍ରମେ କୋଇଲା ବ୍ୟବହାର ହ୍ରାସ ଦିଗରେ ଏବେ ଭାରତ ଅମଙ୍ଗ ହେବା ଉପରଲିଖିତ ଲକ୍ଷ୍ୟରୁ ବିଚ୍ୟୁତ ହୋଇଛି ବୋଲି କୁହାଯାଇପାରେ। ଯଦିଓ ଚାଇନା ଏହି ଚୁକ୍ତିରେ ସ୍ବାକ୍ଷର କରିନାହିଁ, ତଥାପି ଏହା ସବୁଜ ଶକ୍ତି ଉତ୍ସ ଉପରେ ଗବେଷଣା କରି ନୂତନ ପଦକ୍ଷେପ ନେବାରେ ଲାଗିଲାଣି। ଭାରତ କେବଳ କଥାରେ କହିଲେ ହେବ ନାହିଁ। ଏବେଠାରୁ ବିଧିବଦ୍ଧ ଭାବେ ନୂଆ ଜ୍ଞାନକୌଶଳ ବ୍ୟବହାର କରି ଭାରତ ବିଶ୍ୱତାପନକୁ ଅଧିକ ଇନ୍ଧନ ନ ଯୋଗାଇବା ଲାଗି ଚେଷ୍ଟା କରିବା ଦରକାର। ଏଥିସହିତ ସବୁଜ ଶକ୍ତି ଉତ୍ସ ଉପରେ ପର୍ଯ୍ୟାପ୍ତ ପାଣ୍ଠି ସୃଷ୍ଟି କରି ସାଧାରଣରେ ତାହା ପ୍ରକାଶ କରିବା ଆବଶ୍ୟକ।
ବିଶ୍ୱତାପନ ସମ୍ପର୍କରେ ସବୁଠୁ ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ କରିଛି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି। ଏହା ସ୍ପଷ୍ଟ କରିଛି ଯେ, ଜୀବାଶ୍ମ ଇନ୍ଧନ ଯଥା କୋଇଲା, ତୈଳ ଏବଂ ଗ୍ୟାସର ଅତ୍ୟଧିକ ବ୍ୟବହାର ଯୋଗୁ ଚଳିତ ଶତାବ୍ଦୀ ଶେଷସୁଦ୍ଧା ବିଶ୍ୱତାପନ ୧.୫ ଡିଗ୍ରୀ ସେଲସିୟସକୁ ଟପିଯିବ। ଏହାର ପରିଣାମ ସ୍ବରୂପ, ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ଜଳ ପାଇପାରିବେ ନାହିଁ, ଖାଦ୍ୟ ଶୃଙ୍ଖଳ ବିଗିଡ଼ି ଯିବ, କେତେକ ଭୂଭାଗ ଜଳପ୍ଳାବିତ ହୋଇଯିବ ଓ ଅଧିକ ଲୋକ ବିସ୍ଥାପିତ ହେବେ। ତେଣୁ ଜଳବାୟୁ କାର୍ଯ୍ୟାନ୍ବୟନ କ୍ଷେତ୍ରରେ ଧନୀ ଏବଂ ଉଚ୍ଚ ବିକାଶଶୀଳ ଦେଶର ଅବହେଳାକୁ ଏଥିପାଇଁ ଦାୟୀ କରାଯାଇପାରେ। ଉଦାହରଣ ସ୍ବରୂପ, କପ୍‌୧୫ରେ ଚୁକ୍ତି ମୁତାବକ ଧନୀ ଦେଶଗୁଡ଼ିକ ୨୦୨୦ ସୁଦ୍ଧା ପ୍ରତିବର୍ଷ ୧୦୦ ବିଲିୟନ ଆମେରିକୀୟ ଡଲାର ନିମ୍ନ ଆୟବର୍ଗ ଓ ବିକାଶଶୀଳ ଦେଶଗୁଡ଼ିକୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେମାନେ ଏହାକୁ ଏଯାବତ ପାଳନ କରିପାରିନାହାନ୍ତି। ସେମାନଙ୍କ ଅପାରଗତାକୁ ଲକ୍ଷ୍ୟ କରି ଆଫ୍ରିକୀୟ ଦେଶଗୁଡ଼ିକ ପ୍ରତିବର୍ଷ ଆଫ୍ରିକା ଜଳବାୟୁ ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏଥିରେ ଆଫ୍ରିକା ମହାଦେଶର ବିଭିନ୍ନ ରାଷ୍ଟ୍ର, ନାଗରିକ ସମାଜ ଓ ଅନ୍ତଃରାଷ୍ଟ୍ରୀୟ ସଂଗଠନଗୁଡ଼ିକ ଯୋଗ ଦେଉଛନ୍ତି। ବିଶେଷକରି ଚଳିତ ବର୍ଷ ସେପ୍ଟେମ୍ବରରେ କେନିଆରେ ଆୟୋଜିତ ଆଫ୍ରିକା ଜଳବାୟୁ ସମ୍ମିଳନୀ ଗୁରୁତ୍ୱବହନ କରିଛି। ଏହାବ୍ୟତୀତ ବ୍ରାଜିଲ ସ୍ବତନ୍ତ୍ର ଭାବେ ଜଳବାୟୁ ସମ୍ମିଳନୀ ଆୟୋଜନ କରି ଏକ କାର୍ବନମୁକ୍ତ ଅର୍ଥବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଆସୁଛି। ଏହା ପରିବହନ କ୍ଷେତ୍ରରେ ଶତ ପ୍ରତିଶତ ଇଥାନଲ ବ୍ୟବହାର କରି ବିଶ୍ୱ ସମ୍ମୁଖରେ ଉଦାହରଣ ସୃଷ୍ଟି କରିଛି। କିନ୍ତୁ ଭାରତ ଏ କ୍ଷେତ୍ରରେ ବହୁ ପଛରେ ରହିଛି।
ବିଶ୍ୱ ନେତାମାନେ ଉଡ଼ାଜାହାଜରେ ଉଡ଼ି, ପଞ୍ଚତାରକା ହୋଟେଲରେ ରହି ଓ ଶୀତତାପ ନିୟନ୍ତ୍ରିତ ସମ୍ମିଳନୀରେ ସେଲ୍‌ଫି ଉଠାଇଲେ ଜଳବାୟୁ ସଙ୍କଟର ସମାଧାନ ହୋଇପାରିବ ନାହିଁ। ଏଥିଲାଗି ଲୋଡ଼ା ଦୃଢ଼ କାର୍ଯ୍ୟାନ୍ବୟନ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri