Categories: ଜାତୀୟ

ଶିନ୍ଦେଙ୍କ କ୍ୟାବିନେଟର ସମ୍ପ୍ରସାରଣ ନେଇ ଚର୍ଚ୍ଚା: ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି…

ମୁମ୍ବାଇ,୨୪।୫ : ସୁପ୍ରିମକୋର୍ଟଙ୍କ ରାୟ ପରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ଶିନ୍ଦେ ପୂର୍ବପରି ସମ୍ପ୍ରସାରଣ ଖବରକୁ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ, ଆଶାୟୀମାନେ ମଧ୍ୟ କ୍ୟାବିନେଟର ସମ୍ପ୍ରସାରଣ ଉପରେ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ସେମାନେ ମଧ୍ୟ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହେବେ ବୋଲି ଦାବି କରିଛନ୍ତି।

ରାଜ୍ୟରେ ଥିବା ଶିନ୍ଦେ ଫଡନାଭିସ ସରକାର ପ୍ରାୟ ୧୧ ମାସ ପୂରଣ କରିଛନ୍ତି। ତେବେ ସରକାରଙ୍କର କ୍ୟାବିନେଟ ସମ୍ପ୍ରସାରଣ ଏପର୍ଯ୍ୟନ୍ତ ହୋଇନାହିଁ। ଫ୍ଲୋର ଟେଷ୍ଟର ଫଳାଫଳ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏହି ସମ୍ପ୍ରସାରଣ ସ୍ଥଗିତ ଥିବା କୁହାଯାଉଛି। ତେବେ ଏହି ମାମଲାରେ ରାୟ ପ୍ରଦାନ କରୁଥିବାବେଳେ କୋର୍ଟ ବର୍ତ୍ତମାନ ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗର ନିଷ୍ପତ୍ତି ବିଧାନସଭା ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ଫଳରେ ଏବେ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ବାଟ ସଫା ହୋଇଯାଇଛି ।

କୁହାଯାଉଛି, ସମ୍ପ୍ରସାରଣ ଖବର ସମ୍ପର୍କରେ ପ୍ରଥମେ ଶିନ୍ଦେ ସୂଚନା ଦେଇଥିଲେ। ସେ କହିଥିଲେ ଖୁବ ଶୀଘ୍ର କ୍ୟାବିନେଟ ସମ୍ପ୍ରସାରିତ ହେବ। ତେବେ ଏହାପରେ ସରକାରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଆଶାୟୀମାନେ ସମ୍ପ୍ରସାରଣରେ ସେମାନଙ୍କୁ କିପରି କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯିବ ସେନେଇ ଦାବି କରିବା ଆରମ୍ଭ କରି ଦେଇଛନ୍ତି। ଶିବସେନା ନେତା ଭରତ ଗୋଗୱାଲେ କହିଛନ୍ତି କ୍ୟାବିନେଟ ସମ୍ପ୍ରସାରଣର ଅସୁବିଧା ସମାଧାନ ହୋଇଛି। ଯିଏ ମନ୍ତ୍ରୀ ପଦ ପାଇବ ତାଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ଦିଆଯିବ। ଶିବସେନା ମୁଖପାତ୍ର ସଞ୍ଜୟ ଶିରାସଥ କହିଛନ୍ତି ମୋ ନାମ ପ୍ରତ୍ୟେକ ଥର ଆଲୋଚନା ହେଉଛି।

ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଜୁନ ପ୍ରଥମ ସପ୍ତାହରେ କ୍ୟାବିନେଟ ସମ୍ପ୍ରସାରିତ ହେବା ନେଇ ଚର୍ଚ୍ଚା ହେଉଛି। କ୍ୟାବିନେଟର ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସେପଟେ ଭାଜପାରୁ ସବୁଜ ସଙ୍କେତ ଆସିବା ମାତ୍ରେ କ୍ୟାବିନେଟର ସମ୍ପ୍ରସାରଣ କରାଯିବ ବୋଲି କୁହାଯାଉଛି।

Share