Categories: ଜାତୀୟ

ସରକାରଙ୍କ ସହ ଆଜି ଆଲୋଚନା

ନୂଆଦିଲ୍ଲୀ, ୪।୧: କେନ୍ଦ୍ର ସରକାରଙ୍କ ସହ ଚାଷୀନେତାଙ୍କର ସୋମବାର ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଫଳାଫଳକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ସରକାରଙ୍କ ସହ ମୁଖ୍ୟତଃ ୩ କୃଷି ଆଇନ ପ୍ରତ୍ୟାହାର ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ପ୍ରସଙ୍ଗରେ ଆଲୋଚନା ହେବ।
ଶନିବାର ରାତିସାରା ବର୍ଷା ଲାଗି ରହିଥିବାବେଳେ ସୀମାରେ ଦୀର୍ଘ ୩୯ ଦିନ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ପ୍ରବଳ ଶୀତ ସାଙ୍ଗକୁ ଅବିରତ ବର୍ଷା ସେମାନଙ୍କ ପାଇଁ ଦୁର୍ବିଷହ ହୋଇପଡ଼ିଛି। ତେବେ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ ଏହାକୁ ଭ୍ରୂକ୍ଷେପ ନ କରି ପାଣିଭର୍ତ୍ତି ଟେଣ୍ଟରେ ଆନ୍ଦୋଳନ ଜାରି ରଖିଛନ୍ତି।
କ୍ରମାଗତ ବର୍ଷା ଯୋଗୁ ଆନ୍ଦୋଳନ ସ୍ଥଳ ଜଳାର୍ଣ୍ଣବ ହୋଇଯାଇଛି। ଟେଣ୍ଟ ମଧ୍ୟ କୃଷକମାନଙ୍କୁ ଯଥେଷ୍ଟ ସୁରକ୍ଷା ଦେଇପାରି ନାହିଁ। ବର୍ଷା ଯୋଗୁ ଆନ୍ଦୋଳନ ସ୍ଥଳର ସ୍ଥିତି ବେହାଲ ହୋଇପଡ଼ିଛି। ଚାଷୀମାନଙ୍କ ଦୁର୍ଦ୍ଦଶାକୁ ସରକାର ଦେଖିପାରୁ ନାହାନ୍ତି ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ସଦସ୍ୟ ଅଭିମନ୍ୟୁ କୋହର କହିଛନ୍ତି। ବର୍ଷା ଯୋଗୁ ଆନ୍ଦୋଳନ ସ୍ଥଳ ଜଳମଗ୍ନ ହୋଇଛି ସତ,
ହେଲେ ଦୀର୍ଘଦିନ ହେଲା ଆନ୍ଦୋଳନରେ ବସିଥିବା ଚାଷୀଙ୍କ ମନୋବଳକୁ ଓଦା କରିପାରିନାହିଁ ବୋଲି ସିଙ୍ଘୁ ସୀମାର ଜଣେ କୃଷକ ନେତା କହିଛନ୍ତି। ଯେତେ ଅସୁବିଧା ଆସିଲେ ମଧ୍ୟ ସେମାନେ ସ୍ଥାନ ଛାଡ଼ି ନ ଯିବାକୁ ପ୍ରତିଜ୍ଞା କରିଛନ୍ତି।
ଚାଷୀମାନଙ୍କ ଦାବିକୁ ସରକାର ପୂରଣ ନ କରନ୍ତି, ତେବେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ପୂର୍ବରୁ କୃଷକ ନେତାମାନେ ଚେତାବନୀ ଦେଇସାରିଛନ୍ତି। ଜାନୁୟାରୀ ୫ରୁ ସାରା ଦେଶରେ ଆନ୍ଦୋଳନ ହେବ ବୋଲି ଭାରତୀୟ କିଷାନ ୟୁନିୟନ ନେତା ଗୁର୍‌ନାମ ସିଂ ଚାଦୁନି ଜମ୍ମୁରେ ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ରାଲି ସହ ଜାତୀୟ ରାଜଧାନୀରେ ପ୍ରବେଶ କରିବେ ବୋଲି ଶନିବାର ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହା ପୂର୍ବରୁ ରାଜ୍ୟ ଓ ଜାତୀୟ ସ୍ତରରେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଚାଷୀନେତା କହିଥିଲେ।

Share