ନୂଆ ରୂପରେ ଶୋଭା ପାଇବ ତାଳସାରୀ-ଉଦୟପୁର ବେଳାଭୂମି

ଭୋଗରାଇ,୧୧।୨: ପର୍ଯ୍ୟଟନସ୍ଥଳୀ ତାଳସାରୀ-ଉଦୟପୁର ଏବେ ନୂଆ ରୂପରେ ଶୋଭା ପାଇବ। ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ଏହି ଦୁଇ ବେଳାଭୂମିକୁ ବିଶ୍ୱମାନର ପର୍ଯ୍ୟଟନସ୍ଥଳୀ ରୂପେ ଗଢ଼ି ତୋଳିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସରେ ୩୬କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ତାଳସାରୀ ହେଲିପ୍ୟାଡ୍‌ ପଡ଼ିଆରେ ଭୋଗରାଇ ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଅନନ୍ତ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ସ୍ଥଳୀକୁ ଭାରତର ଟପ୍‌ ଥ୍ରୀ ଭାବେ ଗଢ଼ି ତୋଳିବାକୁ ଓଡ଼ିଶା ସରକାର ପ୍ରୟାସ କରୁଛନ୍ତି। ଉଦୟପୁର-ତାଳସାରୀ-ଚନ୍ଦନେଶ୍ୱର ପର୍ଯ୍ୟଟନସ୍ଥଳୀ ରାସ୍ତା ଓ ସମୁଦ୍ରକୂଳରେ ୭କୋଟି ୧୦ଲକ୍ଷ ଟଙ୍କାର ହାଇମାଷ୍ଟ ଲାଇଟ୍‌ ଲଗାଯାଇ ଅଧିକ ଆକର୍ଷଣ କରାଯିବା ସହିତ ୨୯କୋଟି ଟଙ୍କାର ବ୍ୟୟରେ ସମୁଦ୍ରତଟର ବିକାଶ ହେବ। ଏଥିନିମନ୍ତେ ସମସ୍ତଙ୍କର ସହଭାଗିତା ଆବଶ୍ୟକ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ସମୁଦ୍ର କୂଳକୁ ସ୍ବଚ୍ଛ, ସତେଜ ଓ ସବୁଜ କରିବାକୁ ମନ୍ତ୍ରୀ ସ୍ଥାନୀୟ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲାପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ବ୍ଲକ ଚେୟାରମ୍ୟାନ୍‌ ମଞ୍ଜୁରାଣୀ ବେହେରାଙ୍କ ସମେତ ଜିଲାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

Share