କରୋନାରେ ତାମିଲ ଅଭିନେତାଙ୍କ ପରଲୋକ

ଚେନ୍ନାଇ,୧୭।୫: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଜି ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କରୋନା ମହାମାରୀରେ ସିନେମା ଜଗତ ନିଜର ଅନେକ କଳାକାରଙ୍କୁ ହରାଇଛି। କେବଳ ବଲିଉଡ୍‌ ନୁହେଁ ଟଲିଉଡ୍‌ର କଳାକାରଙ୍କ ପାଇଁ ବି କରୋନା କାଳ ସାଜିଥିବା ବେଳେ ଏଥିଯୋଗୁଁ ଅନେକଙ୍କ ଜୀବନ ହାନି ଘଟିଛି। ଏହିକ୍ରମରେ ‘ଅସୁରନ’ ଫେମ୍‌ ତଥା ତାମିଲ ଅଭିନେତା ନୀତିଶ ବିରାଙ୍କ କରୋନାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ନୀତିଶ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ଚେନ୍ନାଇର ଓମାନଦୁରର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ସୋମବାର ମୃତ୍ୟୁ ଘଟିଛି। ନୀତିଶଙ୍କ ପରିବାରରେ ତାଙ୍କ ପତ୍ନୀ ଓ ୨ଝିଅ ଅଛନ୍ତି। ଅଭିନେତାଙ୍କ ଏଭଳି ଆକସ୍ମିକ ବିୟୋଗରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ଝଟ୍‌କା ଲାଗିବା ସହ ଶୋକର ଛାୟା ଖେଳିଯାଇଛି। ନୀତିଶଙ୍କ ବିୟୋଗରେ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ତାଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Share