Categories: ଜାତୀୟ

ତାମିଲ ଈଶ୍ୱରଙ୍କ ଭାଷା: ମାଡ୍ରାସ୍‌ ହାଇକୋର୍ଟ

ଚେନ୍ନାଇ, ୧୪।୯: ତାମିଲ ଈଶ୍ୱରଙ୍କ ଭାଷା। ଅଝଓ୍ବର ଏବଂ ନୟନମାରଙ୍କ ଭଳି ସନ୍ଥ ଲେଖିଥିବା ତାମିଲ ମନ୍ତ୍ର ଦେଶର ମନ୍ଦିରଗୁଡ଼ିକରେ ଆବୃତ୍ତି ହେବା ଆବଶ୍ୟକ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ସଂସ୍କୃତ ଭଗବାନଙ୍କ ଭାଷା ବୋଲି ବିଶ୍ୱାସ ରହିଆସିଥିବା ଜଷ୍ଟିସ୍‌ ଏନ୍‌. କିରୁବାକରନ ଏବଂ ବି. ପୁଗାଲେନ୍ଧିଙ୍କ ଖଣ୍ଡପୀଠ ନିକଟରେ ଏକ ରାୟ ଦେବା ଅବସରରେ କହିଥିଲେ। ବିଭିନ୍ନ ଦେଶ ଓ ଧର୍ମରେ ଭିନ୍ନ ଭିନ୍ନ ବିଶ୍ୱାସ ରହିଛି। ସଂସ୍କୃତି ଓ ଧର୍ମକୁ ନେଇ ଉପାସନାସ୍ଥଳ ଅଲଗା ହୋଇଥାଏ। ସେହିସବୁ ସ୍ଥାନରେ ଆରାଧନା ପାଇଁ ସ୍ଥାନୀୟ ଭାଷାକୁ ବ୍ୟବହାର କରାଯାଇଥାଏ। କିନ୍ତୁ ଆମ ଦେଶରେ କେବଳ ସଂସ୍କୃତକୁ ଦେବଭାଷା କୁହାଯାଉଥିବାବେଳେ ଅନ୍ୟ କୌଣସି ଭାଷାକୁ ଏହାର ସମତୁଲ ବୋଲି ବିଶ୍ୱାସ କରାଯାଉନାହିଁ। ଅବଶ୍ୟ ସଂସ୍କୃତ ଏକ ପୁରାତନ ଭାଷା ଓ ଅନେକ ବୃହତ୍‌ ଗ୍ରନ୍ଥ ଏହି ଭାଷାରେ ଲେଖାଯାଇଛି। କେବଳ ସଂସ୍କୃତ ବେଦ ଆବୃତ୍ତି କଲେ ଭଗବାନ ଭକ୍ତମାନଙ୍କ ପ୍ରାର୍ଥନା ଶୁଣିଥାନ୍ତି ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଦିଆଯାଇଥିବା ଖଣ୍ଡପୀଠ କହିଛନ୍ତି। ଥିରୁମୁରାଇକାଲ, ତାମିଲ ଶୈବ ମନ୍ତ୍ର ଏବଂ ସନ୍ଥ ଅମରାବତୀ ଆତ୍ରଙ୍ଗରାଇ କାରୁରାରଙ୍କ ସଙ୍ଗୀତ ମନ୍ଦିରଗୁଡ଼ିକରେ ଆବୃତ୍ତି ପାଇଁ ସରକାରୀ କର୍ତ୍ତୃପକ୍ଷ, ହିନ୍ଦୁଧର୍ମ ଏବଂ ଦାତବ୍ୟ ଏଣ୍ଡାଓମେଣ୍ଟ କମିଶନରଙ୍କୁ ନିର୍ଦ୍ଦେଶ ଦେବା ପାଇଁ କାରୁର ଜିଲାର ଏକ ମନ୍ଦିର ତରଫରୁ ହାଇକୋର୍ଟରେ ପିଟିଶନ ଦାଏର ହୋଇଥିଲା। ତାମିଲ କେବଳ ପୁରାତନ ଭାଷା ନୁହେ, ଏହା ମଧ୍ୟ ଦେବଭାଷା। ଭଗବାନ ଶିବ ତାଣ୍ଡବ ନୃତ୍ୟ କଲାବେଳେ ତାଙ୍କ ଡମ୍ବରୁ ଖସିପଡ଼ି ତାମିଲ ଭାଷା ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ। ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ ଭଗବାନ ମୁରୁଗା ତାମିଲ ଭାଷା ସୃଷ୍ଟି କରିଥିଲେ।

 

Share