Categories: ଜାତୀୟ

ବାତ୍ୟା ‘ନିବାର’ ପ୍ରଭାବରେ ତାମିଲନାଡୁ-ଆନ୍ଧ୍ରପ୍ରଦେଶରେ ବର୍ଷା: ପୁଡୁଚେରୀରେ ରାତ୍ରକାଳୀନ କର୍ଫ୍ୟୁ ଜାରି

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ଅବପାତରେ ପରିଣତ ହୋଇଛି। ଏହା ବୁଧବାର ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳ ଛୁଇଁବ। ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ପାଣିପାଗ ବିଭାଗ ଅନୁସାରେ ବାତ୍ୟା ‘ନିବାର’ ପୁଡୁଚେରୀରୁ ୪୦୦କିଲୋମିଟର ଦୂରରେ ଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ରୁତ ଗତିରେ ଭୀଷଣ ରୂପ ଧାରଣ କରିପାରେ। ତେବେ ନଭେମ୍ବର ୨୫ ସନ୍ଧ୍ୟାରେ ଏହି ସାମୁଦ୍ରିକ ଝଡ଼ କରାଇକଲ ଓ ମାମଲ୍ଲାପୁରମ ମଧ୍ୟରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ପ୍ରତି ଘଣ୍ଟାରେ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବୋହିପାରେ। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ପୁଡୁଚେରୀ ଜିଲାପାଳ ମଙ୍ଗଳବାର ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନଭେମ୍ବର ୨୬ ଯାଏଁ ୧୪୪ ଧାରା ଲାଗୁ କରିଛନ୍ତି। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ ଦୋକାନ, କ୍ଷୀର ଓ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ଜିଲାପାଳ କହିଛନ୍ତି। ଏଥିସହ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

Share