Categories: ଜାତୀୟ

ବିନା ଅନୁମତିରେ ନିର୍ବାଚନୀ ଭିଡିଓରେ କଂଗ୍ରେସ ଏମ୍‌ପିଙ୍କ ସ୍ତ୍ରୀ ଫଟୋ ଲଗାଇଲା ଭାଜପା

ଚେନ୍ନାଇ,୩୧।୩: ତାମିଲନାଡୁ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ୨୩୪ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟ ଭୋଟ ହେବ। ଏଥିପାଇଁ ନିର୍ବାଚନ ପ୍ରଚାର ଚାଲିଛି। ଏଆଇଏଡିଏମକେ ସହ ମିଶି ଏଥର ନିର୍ବାଚନରେ ଭାଜପା ମଧ୍ୟ ଭାଗ୍ୟ ପରୀକ୍ଷା କରୁଛି। ଏଥିସହିତ ତାମିଲନାଡୁରେ ଚାଲିଥିବା ପ୍ରଚାର ଅଭିଯାନରେ ଭାଜପାର କାର୍ଯ୍ୟ ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିଛି। ଭାଜପାର ତାମିଲନାଡୁ ୟୁନିଟ ଟୁଇଟରରେ ଏହି ପ୍ରଚାର ଅଭିଯାନ ସହ ଜଡିତ ଏକ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓରେ ସ୍ଥାନ ପାଇଥିବା ମହିଳା କଳାକାର ହେଉଛନ୍ତି କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମଙ୍କ ସ୍ତ୍ରୀ ଶ୍ରୀନିଦ୍ଧି ଚିଦାମ୍ବରମ। ଏହା ଜଣାପଡିବା ପରେ ଟୁଇଟର ଆକାଉଣ୍ଟରୁ ଭିଡିଓ ହଟାଇ ଦେଇଛି ଭାଜପା। ଅନ୍ୟପକ୍ଷରେ ତାମିଲନାଡୁ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିନା ଅନୁମତିରେ ଭାଜପା ଶ୍ରୀନିଦ୍ଧିଙ୍କ ଫଟୋ ବ୍ୟବହାର କରିଛି। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଭାଜପାର ନିଜସ୍ବ ଦୃଷ୍ଟି ନାହିଁ। ଏଥି ସହ କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମ ମଧ୍ୟ ନିଜ ଟୁଇଟରରେ ଏହି ସୂଚନା ଶେୟାର କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମଙ୍କ ସ୍ତ୍ରୀ ଶ୍ରୀନିଦ୍ଧି ଜଣେ କଳାକାର ତଥା ଡାକ୍ତର ଅଛନ୍ତି।

Share