ଚେନ୍ନାଇ,୮।୩: ତାମିଲନାଡୁରେ ଭାଜପାକୁ ଏକ ବଡ଼ ଝଟ୍କା ଲାଗିଛି। ଚେନ୍ନାଇ ୱେଷ୍ଟରେ ଆଇଟି ୱିଙ୍ଗର ୧୩ଜଣ ଅଧିକାରୀ ବୁଧବାର ଏକତ୍ରିତ ଭାବେ ଭାଜପା ଦଳ ଛାଡ଼ିଛନ୍ତି। ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ଯେଉଁଥିରେ ଆଇଟି ଓ୍ବିଙ୍ଗର ୧୦ଟି ଜିଲା ସଚିବ ଏବଂ ୨ଟି ଜିଲା ଉପସଚିବଙ୍କ ହସ୍ତାକ୍ଷର ରହିଛି। ବର୍ଷ ବର୍ଷ ଧରି ସେ ଭାଜପାରେ କାମ କରିବା ପରେ ମଧ୍ୟ ଦଳରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଛି ବୋଲି ଆଇଟି ୱିଙ୍ଗର ଜିଲା ସଭାପତି ଅନବରସାନ କହିଛନ୍ତି। ଲୋକମାନେ ଜାଣିଛନ୍ତି ଯେ, ମୁଁ କୌଣସି ପଦର ଆଶା କରି ନ ଥିଲି। କିନ୍ତୁ ଗତ କିଛି ଦିନ ହେବ ଦଳର ଅସ୍ବାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ନିଜ ପଦରୁ ଇସ୍ତଫା ଦେଇଛି। ଉକ୍ତ ବିବୃତ୍ତିରେ ପଦାଧିକାରୀଙ୍କ ଦସ୍ତଖତ ମଧ୍ୟ ରହିଛି ବୋଲି ଅନବରସାନ କହିଛନ୍ତି। ଇତିମଧ୍ୟରେ ତାମିଲନାଡୁ ରାଜନୀତିରେ ଭାଜପା ଏବଂ ଏଆଇଏଡିଏମ୍କେ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି।