ନୂଆଦିଲ୍ଲୀ,୨୩।୩: ସୁପ୍ରିମକୋର୍ଟଙ୍କ ତାଗିଦ ପରେ ତାମିଲନାଡୁ ରାଜ୍ୟପାଳ ଆର୍.ଏନ୍. ରବି ଶୁକ୍ରବାର ଅପରାହ୍ନରେ ଡିଏମ୍କେ ନେତା କେ. ପୋନମୁଡିଙ୍କୁ ପୁନର୍ବାର ରାଜ୍ୟ କ୍ୟାବିନେଟ୍ରେ ସାମିଲ କରିଛନ୍ତି। ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ପୋନମୁଡି ୨୦୧୧ର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀସାବ୍ୟସ୍ତ ହେବା ସହ ୩ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବାରୁ ତାଙ୍କୁ ପୁନର୍ବାର ମନ୍ତ୍ରୀ ଭାବେ ଶପଥ ପାଠ କରାଇବାକୁ ରାଜ୍ୟପାଳ ମନା କରିଦେଇଥିଲେ। ତେବେ ସର୍ବୋଚ୍ଚ ଅଦାଲତ ଉକ୍ତ ଦଣ୍ଡ ଉପରେ ରହିତାଦେଶ ଲଗାଇବା ପରେ ପୋନ୍ମୁଡି ତାଙ୍କ ବିଧାୟକ ପଦ ବଜାୟ ରଖିଥିଲେ। ଏହା ପରେ ତାଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ସୁପାରିସ କରିଥିଲେ। ରାଜ୍ୟପାଳ ଯଦି ମନ୍ତ୍ରୀ ପଦରେ ପୋନ୍ମୁଡିଙ୍କୁ ପୁନଃ ଅବସ୍ଥାପିତ ନ କରନ୍ତି, ତେବେ ଅଦାଲତ ଏଥିପାଇଁ ନିର୍ଦ୍ଦେଶ ଦେବେ ବୋଲି ଦିନକ ପୂର୍ବରୁ କହିଥିଲେ।