Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ‘ଉଦବେଗ ପ୍ରକାଶ’ ପରେ ୧୦ ବିଲ୍ ଫେରାଇଦେଲେ ତାମିଲନାଡୁ ରାଜ୍ୟପାଳ

ନୂଆଦିଲ୍ଲୀ,୧୬ା୧୧: ତାମିଲନାଡୁ ରାଜ୍ୟପାଳ ଆରଏନ. ରବି ଗୁରୁବାର ୧୦ ବିଲ୍ ଫେରାଇଦେବା ପରେ ରାଜ୍ୟ ସରକାର ଶନିବାର ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ସ୍ୱତନ୍ତ୍ର ଅଧିବେଶନ ଶନିବାର ୧୦ ତା ସମୟରେ ଅନୁଷ୍ଠିତ ହେବ। ପଞ୍ଜାବ ଏବଂ ତାମିଲନାଡୁ ରାଜ୍ୟପାଳ ସରକାରଙ୍କ ବିଭିନ୍ନ ବିଲ୍ ଗୁଡିକୁ ପାସ୍ କରିବା ପାଇଁ ଅଧିକ ସମୟ ଲଗାଉଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକଟ କରିବାର ଗୋଟିଏ ସପ୍ତାହ ପରେ ଏହି ଘଟଣା ଘଟିଛି।

ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ରାଜ୍ୟପାଳଙ୍କୁ ପଠାଯାଇଥିବା ବିଭିନ୍ନ ବିଲ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଅଟକ ରଖିବା ଚିନ୍ତାର ବିଷୟ ଅଟେ ବୋଲି କୋର୍ଟ କହିଥିଲେ। ତାମିଲନାଡୁ ସରକାର ରାଜ୍ୟପାଳଙ୍କ ନିକଟକୁ ୧୨ ବିଲ୍ ପଠାଇଥିବା ବେଳେ ସେଥିରୁ ୧୦ ଟି ସେ ଫେରାଇ ଦେଇଛନ୍ତି। ଫେରସ୍ତ ଆସିଥିବା ବିଲ୍ ଗୁଡିକ ବିଧାନସଭାରେ ପାରିତ ହୋଇଥିବା ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିଲ୍ ଅଟେ।

ତେବେ ଏହି ବିଷୟକୁ ଦୃଷ୍ଟିରେ ରଖି ବିଲଗୁଡିକ ଉପରେ ପୁନର୍ବାର ବିଧାନସଭାରେ ଆଲୋଚନା କରି ପାରିତ କରିବାକୁ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିବା ବାଚସ୍ପତି ଏମ. ଅପ୍ପାଭୁ କହିଛନ୍ତି।

 

 

 

Share