Categories: ଜାତୀୟ

ଡିସେମ୍ବର ୩୦ ଯାଏ ବଢ଼ିଲା କୋଭିଡ-୧୯ କଟକଣା: ଡିସେମ୍ବର ୧୪ରୁ ଖୋଲିବ ମାରିନା ବିଚ୍‌

ଚେନ୍ନାଇ,୩୦।୧୧: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟଗୁଡ଼ିକରେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ତାମିଲନାଡୁର ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। କିନ୍ତୁ ଡିସେମ୍ବର ୩୦ ଯାଏ କୋଭିଡ-୧୯ ସମ୍ବନ୍ଧୀୟ କଟକଣାକୁ ବୃଦ୍ଧି କରିବା ପାଇଁ ଏଜାପାଡି କରୁପା ପଲାନିସ୍ବାମୀଙ୍କ ନେତୃତ୍ୱରେ ଏଆଇଏଡିଏମ୍‌କେ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ଏହି ସମୟରେ ସରକାର କେତେକ କଟକଣା ଉପରେ କୋହଳ କରିଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ ଅନୁସାରେ ଡିସେମ୍ବର ୭ରୁ ୟୁଜି ଅନ୍ତିମ ବର୍ଷର ପରୀକ୍ଷା ପୁଣି ଆରମ୍ଭ ହେବ। ଏଥିସହ ଡିସେମ୍ବର ୧୫ରୁ ମାରିନା ବିଚ୍‌ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି। ସେହିପରି ବିବାହ ଓ ଅନ୍ୟ କାର୍ଯ୍ୟକ୍ରମରେ ସ୍ଥାନର କ୍ଷମତା ଅନୁଯାୟୀ ୫୦ ପ୍ରତିଶତ କିମ୍ବା ୨୦୦ ଲୋକଙ୍କ ସମାଗମକୁ ଅନୁମତି ମିଳିଛି। ରାଜ୍ୟରେ କ୍ରୀଡ଼ା ତାଲିମ ଓ ସୁଇମିଂ ପୁଲ ଖୋଲାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ରାଜ୍ୟର ରାଜଧାନୀ ଚେନ୍ନାଇରେ ୨ଲକ୍ଷରୁ ଊର୍ଦ୍ଧ୍ୱ କରୋନା ମାମଲା ରହିଛି। ସେହିପରି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧ହଜାରକୁ ବୃଦ୍ଧି ପାଇଥିବା ସୂଚନା ରହିଛି।

Share