ତାମିଲନାଡୁ ଅକ୍ସିଜେନ ଉତ୍ପାଦନ କଲେ ଆପତ୍ତି ନାହିଁ

ନୂଆଦିଲ୍ଲୀ,୨୪ା୪: ଅକ୍ସିଜେନ ଅଭାବରୁ ଲୋକେ ମରୁଛନ୍ତି। ତାମିଲନାଡୁ ସରକାର ଅକ୍ସିଜେନ ଉତ୍ପାଦନ ପାଇଁ ବେଦାନ୍ତର ଟୁଟିକୋରିନ ପ୍ଲାଣ୍ଟକୁ କାହିଁକି ହାତକୁ ନେଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ବେଦାନ୍ତର ଷ୍ଟେରଲାଇଟ୍‌ କପର୍‌ ୟୁନିଟ ପରିବେଶଗତ କାରଣରୁ ୨୦୧୮ ମେ’ରୁ ବନ୍ଦ ପଡ଼ିଛି। କମ୍ପାନୀ ଏହାକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଅନୁମତି ମାଗି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଛି। ହସ୍ପିଟାଲଗୁଡ଼ିକରେ ଚିକିତ୍ସାଧୀନ କୋଭିଡ୍‌-୧୯ ରୋଗୀଙ୍କୁ ମାଗଣାରେ ଅକ୍ସିଜେନ ଯୋଗାଇଦେବ ବୋଲି ବେଦାନ୍ତ ଯୁକ୍ତି ବାଢ଼ିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି, ବେଦାନ୍ତ ହେଉ କି ଅନ୍ୟ କେହି ଏହାକୁ ପରିଚାଳିତ କରିବେ ତାକୁ ନେଇ ଆମେ ଚିନ୍ତିତ ନୋହୁଁ। ବଡ଼କଥା ହେଉଛି ଅମ୍ଳଜାନ ଉତ୍ପାଦନ ହେଉ। ତାମିଲନାଡୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସି.ଏସ୍‌. ବୈଦ୍ୟନାଥନ୍‌ ସେଠାକାର ଆଇନଶୃଙ୍ଖଳା ପରିସ୍ଥିତିର ଅବତାରଣା କରିବା ସହ ଜିଲାପାଳ ଶୁକ୍ରବାର ଟୁଟିକୋରିନକୁ ଲୋକଙ୍କ ସହ ଆଲୋଚନା ପାଇଁ ଯାଇଥିବା କହିଥିଲେ। ଖଣ୍ଡପୀଠ କହିଥିଲେ, ତାମିଲନାଡୁ ସରକାର ଉକ୍ତ ପ୍ଲାଣ୍ଟରେ ଅକ୍ସିଜେନ ଉତ୍ପାଦନ କଲେ ଆମର କିଛି ଆପତ୍ତି ନାହିଁ। ତାମିଲନାଡୁ ପାଖରେ ବଳକା ଅକ୍ସିଜେନ ଥାଇପାରେ। କିନ୍ତୁ ଏହି ପ୍ରସଙ୍ଗ ସାରା ଦେଶ ସହ ଜଡ଼ିତ। ଦେଶର ଜାତୀୟ ସମ୍ପତ୍ତିକୁ ସମସ୍ତ ନାଗରିକଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯିବା ଉଚିତ। ଲୋକେ ମରୁଥିବାବେଳେ ଆଇନଶୃଙ୍ଖଳାର ଆଳ ଦେଖାଇ ଅକ୍ସିଜେନ ଉତ୍ପାଦନ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର କହିପାରିବେ ନାହିଁ। ଏହି ପ୍ରସଙ୍ଗରେ ବୈଦ୍ୟନାଥନ୍‌ ଏକ ସତ୍ୟପାଠ ଦାଖଲ କରିବେ ବୋଲି ଶୀର୍ଷ ଅଦାଲତଙ୍କୁ ଅବଗତ କରାଇଥିଲେ। ଖଣ୍ଡପୀଠ ଆସନ୍ତା ୨୬ରେ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି। ପ୍ରକାଶ ଯେ, ବେଦାନ୍ତ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଗୁରୁବାର ଏହାର ତ୍ୱରିତ ଶୁଣାଣି ପାଇଁ ଆବେଦନ କରିଥିବାବେଳେ ଦେଶରେ ଏକପ୍ରକାର ଜାତୀୟ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବା ଖଣ୍ଡପୀଠ କହିଥିଲେ। ଏହାସହ ଅକ୍ସିଜେନ ଓ ଭାକ୍ସିନକୁ ନେଇ ଏକ ନୀତି ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ଶୁକ୍ରବାର ସାଲ୍‌ଭେ ଏହି ମାମଲାରୁ ଓହରିଯାଇଛନ୍ତି। ଏହା ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗ। ସିଜେଆଇ ବୋବ୍‌ଡେଙ୍କୁ ସେ ପିଲାବେଳୁ ଜାଣନ୍ତି। ତେଣୁ ଏଥିରୁ ସେ ଓହରିଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଖଣ୍ଡପୀଠ ସାଲ୍‌ଭେଙ୍କୁ ଆମିକସ୍‌ କ୍ୟୁରି ନିଯୁକ୍ତ କରିଥିବାରୁ ଦୁଷ୍ୟନ୍ତ ଡାଭେଙ୍କ ସମେତ କେତେଜଣ ବରିଷ୍ଠ ଆଇନଜୀବୀ ଏହାକୁ ବିରୋଧ କରିଥିଲେ।

Share