Categories: ଜାତୀୟ

ତାମିଲ ଟାଇଗର ପ୍ରଭାକରନ ଜୀବିତ: ଏମଡିଏମକେ ନେତାଙ୍କ ଦାବି…

ଚେନ୍ନାଇ,୨୭।୧୧ : ଶ୍ରୀଲଙ୍କା ସରକାର ଆନୁଷ୍ଠାନିକ ଭାବେ ଆତଙ୍କବାଦୀ ସଂଗଠନ ଲିବରେଶନ ଟାଇଗର୍ସ ଅଫ ତାମିଲ ଇଲମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନଙ୍କ ମୃତ୍ୟୁ ଘୋଷଣା କରିବା ପରେ ମାରୁମାଲାର୍କି ଦ୍ରାବିଡା ମୁନ୍ନେଟ୍ରା କାଜାଗାମ (ଏମଡିଏମକେ) ମହାସଚିବ ଭାଇକୋ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ସେ ଦାବି କରିଛନ୍ତି ତାମିଲ ଟାଇଗର ନେତା ପ୍ରଭାକରନ ଜୀବିତ ଅଛନ୍ତି। ଭାଇକୋ କେକ କାଟି ପ୍ରଭାକରନଙ୍କ ଜନ୍ମଦିନ ମଧ୍ୟ ପାଳନ କରିଛନ୍ତି।

ଭାଇକୋ ନିର୍ଭୀକ ଭାବରେ କହିଛନ୍ତି, “ଆମେ ବିଶ୍ୱାସ କରୁ ଏଲଟିଟିଇର ଭେଲୁପିଲ୍ଲାଇ ପ୍ରଭାକରନ ଜୀବିତ ଅଛନ୍ତି, ଏବଂ ଆମେ ଏକ କେକ କାଟିବା ସହିତ ତାଙ୍କ ଜନ୍ମଦିନ ପାଳନ କରିଛୁ। ପାଜା ନେଡୁମାରନ ଏବଂ କାସୀ ଆନନ୍ଦାନଙ୍କ ପରି ତାଙ୍କ ସହିତ ଥିବା ଲୋକମାନେ ଏନେଇ ମିଛ କହିବେ ନାହିଁ। ଏହି ଦାବି ତାମିଲ ଜାତୀୟତାବାଦୀ ପାଜା ନେଡୁମାରନଙ୍କ ଦ୍ୱାରା ବର୍ଷକ ପୂର୍ବରୁ କରାଯାଇଥିବା ସମାନ ଦାବିକୁ ପ୍ରତିପାଦିତ କରିଥିଲା, ସେ ମଧ୍ୟ ପ୍ରଭାକରନ ଜୀବିତ ଏବଂ ଭଲରେ ଥିବା କହିଥିଲେ। ପ୍ରଭାକରନ ଶୀଘ୍ର ଜନସାଧାରଣଙ୍କ ନିକଟରେ ଉପସ୍ଥିତ ହେବାକୁ ଯୋଜନା କରିଥିବା ସେ ସୂଚନା ପ୍ରଦାନ କରିଥିଲେ।

ଅନ୍ୟ ଜଣେ ତାମିଲ ନେତା କାସୀ ଆନନ୍ଦାନ ମଧ୍ୟ ପ୍ରଭାକରନଙ୍କ ଜୀବତ ଥିବା କଥାକୁ ସମର୍ଥନ କରିଛନ୍ତି ଏବଂ ଶ୍ରୀଲଙ୍କା ସରକାରି ତାଙ୍କ ମୃତ୍ୟୁ ବିଷୟରେ ତଥ୍ୟ କାହିଁକି ପ୍ରକାଶ କରିନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏଲଟିଟିଇ ପ୍ରତିଷ୍ଠାତା ତଥା ନେତା ପ୍ରଭାକରନ ତାମିଲ ଇଲମ ନାମରେ ଏକ ସ୍ବାଧୀନ ତାମିଲ ରାଜ୍ୟ ଗଠନ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ସରକାର ବିରୁଦ୍ଧରେ ୨୬ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧରେ ଏହି ସନ୍ତ୍ରାସବାଦୀ ସଂଗଠନର ନେତୃତ୍ୱ ନେଇଥିଲେ। କିଛି ତାମିଲ ତାଙ୍କୁ ହିରୋ ଭାବରେ ବିବେଚନା କରୁଥିବାବେଳେ ଏଲଟିଟିଇକୁ ଅନେକ ଦେଶ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଥିଲେ।

ଶ୍ରୀଲଙ୍କା ଗୃହଯୁଦ୍ଧର ଶେଷ ପର୍ଯ୍ୟାୟରେ ଶ୍ରୀଲଙ୍କା ସରକାର ଆନୁଷ୍ଠାନିକ ଭାବରେ ୧୮ ମଇ ୨୦୦୯ ରେ ପ୍ରଭାକରନଙ୍କ ମୃତ୍ୟୁ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁକୁ ନେଇ ପ୍ରକୃତ ପରିସ୍ଥିତି ବିବାଦୀୟ ହୋଇ ରହିଛି। ଶ୍ରୀଲଙ୍କା ସେନା ଦାବି କରିଥିଲା ସେ ବିବାଦୀୟ ଅଞ୍ଚଳ ଛାଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗୁଳିମାଡରେ ତାଙ୍କର ମୃତ୍ୟୁ ଘଟିଛି ଏବଂ ଡିଏନଏ ପରୀକ୍ଷା ମାଧ୍ୟମରେ ତାଙ୍କର ପରିଚୟ ନିଶ୍ଚିତ ହୋଇଛି। ଭାଇକୋଙ୍କ ଦ୍ୱାରା ହୋଇଥିବା ଦାବି ପ୍ରଭାକରନଙ୍କ ଜୀବିତ ହେବାକୁ ନେଇ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।

Share