ଲୋକଙ୍କୁ ମାଗଣା କରୋନା ଟିକା ଦେବାକୁ ଘୋଷଣା କଲେ ଏହି ମୁଖ୍ୟମନ୍ତ୍ରୀ

ଚେନ୍ନାଇ, ୨୨।୧୦: ବିହାର ପରେ ଏବେ ତାମିଲନାଡ଼ୁ ସରକାର ଲୋକଙ୍କୁ ମାଗଣା କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କହିଛନ୍ତି, ଥରେ କରୋନା ଟିକା ପ୍ରସ୍ତୁତ ହୋଇଗଲେ ରାଜ୍ୟର ସମସ୍ତ ଲୋକଙ୍କୁ ମାଗଣାରେ ଦିଆଯିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିହାରର ଭାଜପା ସରକାର ରାଜ୍ୟର ସମସ୍ତ ଲୋକଙ୍କୁ କରୋନା ଟିକା ମାଗଣାରେ ଦେବାକୁ ଘୋଷଣା କରିଥିଲା। ଯାହାକୁ ନେଇ ପରେ ତୀବ୍ର ସମାଲୋଚନା କରାଯାଇଥିଲା। ବିରୋଧୀ ଦଳ ଏହାକୁ ନିର୍ବାଚନ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ବିହାରରେ କରୋନା ଟିକା ନିଶୁଳ୍କରେ ସମସ୍ତଙ୍କୁ ଦିଆଯିବାକୁ ନେଇ ଘୋଷଣା କରାଯିବା ପରେ ବିବାଦ ଦେଖାଯିବାରୁ ଭାଜପା ପକ୍ଷରୁ ସଫେଇ ଦିଆଯାଇଥିଲା। ଏହାକୁ ନେଇ ଆର୍‌ଜେଡି ନେତା ତେଜସ୍ବୀ ଯାଦବ କହିଥିଲେ, କରୋନା ଟିକା ପୁରା ଦେଶର, ଭାଜପାର ନୁହେଁ। ସେହିଭଳି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଟୁଇଟ୍‌ କରି କହିଥିଲେ ‘ତୁମେ ମୋତେ ଭୋଟ୍‌ ଦିଅ, ମୁଁ ତୁମକୁ ଟିକା ଦେବି’।

Share