Categories: ଜାତୀୟ

ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲା ‘ତାଣ୍ଡବ’ର ପୂରା ଟିମ୍‌

ନୂଆଦିଲ୍ଲୀ,୧୮।୧: ଆମାଜନ ପ୍ରାଇମ ଭିଡିଓର ନୂଆ ଓ୍ବେବ ସିରିଜ୍‌ ‘ତାଣ୍ଡବ’ କାଷ୍ଟ ଓ କ୍ରୁ ମେମ୍ବର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଓ୍ବେବ ସିରିଜ୍‌ର କିଛି ଦୃଶ୍ୟରେ ଅଭିନେତାମାନେ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ଏ ନେଇ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ମାମଲା ଦାୟର ହୋଇଥିଲା।

ଓ୍ବେବ ସିରିଜ୍‌ର ଟିମ୍‌ ପକ୍ଷରୁ ସୋମବାର ସନ୍ଧ୍ୟାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ କୁହାଯାଇଛି, ‘ତାଣ୍ଡବ’ ଏକ ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ ଉପରେ ଆଧାରିତ। ଯଦି କୌଣସି ବ୍ୟକ୍ତି କିମ୍ବା ଘଟଣା ସହ ଏହାର ସମାନତା ଥାଏ, ତେବେ ତାହା କେବଳ ସଂଯୋଗ ମାତ୍ର। କୌଣସି ଜାତି, ସମ୍ପ୍ରଦାୟ, ବ୍ୟକ୍ତି ବିଶେଷ, ପ୍ରତିଷ୍ଠାନ, ରାଜନୈତିକ ଦଳ, ଧର୍ମ ଓ ଧାର୍ମିକ ବିଶ୍ୱାସକୁ ଆଘାତ ଦେବା ଆମ ଉଦ୍ଦେଶ୍ୟ ନୁହେଁ। ଓ୍ବେବ ସିରିଜ୍‌ର କାଷ୍ଟ ଓ କ୍ରୁ ସଦସ୍ୟ ଲୋକମାନଙ୍କ ଚିନ୍ତା ବୁଝି ପାରୁଛନ୍ତି। ଯଦି ଆମେ କାହାକୁ ଆଘତ ଦେଇଛୁ, ସେମାନଙ୍କ ନିକଟରେ ଆମେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ ବୋଲି କୁହାଯାଇଛି।

ଉଲ୍ଲେଖଥାଉ କି, ମହାରାଷ୍ଟ୍ରର ଜଣେ ଭାଜପା ବିଧାୟକଙ୍କ ସମେତ ବହୁ ସଂଖ୍ୟାରେ ମାମଲା ଦାୟର ହେବା ପରେ କେନ୍ଦ୍ରର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତାଣ୍ଡବ ମେକର୍ସଙ୍କଠାରୁ ରିପୋର୍ଟ ତଲବ କରିଥିଲା।

Share