ରାସ୍ତା କଡ଼କୁ ଓଲଟିଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋବରା ନିକଟରେ ଶନିବାର ଏକ ପେଟ୍ରୋଲ ଟ୍ୟାଙ୍କର ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଫଳରେ ଏଥିରେ ବସିଥିବା ଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ  ଉଦ୍ଧାର କରି ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଟ୍ୟାଙ୍କର ଟି ପାରାଦୀପ ରୁ ମାଲକାନଗିରି କୁ ଯାଉଥିଲା। ହେଲେ ବାଟରେ ଗୋବରା ନିକଟରେ ଟ୍ୟାଙ୍କର ଦୁର୍ଘଟଣା ହେବା ପରେ ଟାଙ୍କିରେ ଥିବା ପେଟ୍ରୋଲ ଲିକେଜ ହୋଇଥିଲା।  ଖବର ପାଇ ଅଗ୍ନିଶମ ବିଭାଗ  ଘଟଣାସ୍ଥଳକୁ ଆସି ଲିକେଜ ବନ୍ଦ କରିବା ସହ ଓଲଟି ପଡିଥିବା  ଟ୍ୟାଙ୍କରକୁ ମଧ୍ୟ ଉଠାଇଛନ୍ତି।  ଅନ୍ୟପଟେ ଗୁରୁତର ଥିବା ଚାଳକ ଜଣକ ଯାଜପୁର ଜିଲାର ବୋଲି ଜଣାପଡିଛି।