Categories: ଜାତୀୟ

ହାଇଓ୍ବେରେ ଓଲଟିଲା ଖାଇବା ତେଲ ବୋଝେଇ ଟ୍ୟାଙ୍କର୍‌ , ବାସନ କୁସନରେ ବୋହି ନେଲେ ଲୋକେ…

ପାଲଘର, ୨୨।୫ : ମହାରାଷ୍ଟ୍ରର ବ୍ୟସ୍ତବହୁଳ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଖାଇବା ତେଲ ନେଇଥିବା ଏକ ଟ୍ୟାଙ୍କର୍‌ ଓଲଟି ପଡିଥିଲା। ଯେଉଁଥିପାଇଁ ପ୍ରାୟ ତିନି ଘଣ୍ଟା ଧରି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରବିବାର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ପୋଲିସ କହିଛି ଯେ ଶନିବାର ଦୁର୍ଘଟଣା ପରେ ବହୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର୍‌ରୁ ବୋହୁଥିବା ତେଲକୁ ଲୁଟି ନେଇଥିଲେ।

ଗୁଜୁରାଟର ସୁରଟରୁ ମୁମ୍ବାଇକୁ ୧୨ ହଜାର ଲିଟର ଖାଇବା ତେଲ ନେଇଥିବା ଏକ ଟ୍ୟାଙ୍କରର ତାୱା ଗ୍ରାମଠାରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସେଥିରୁ ତେଲ ବୋହିବା ଆରମ୍ଭ କରିଥିଲା। ପୋଲିସ ପକ୍ଷରୁ କୁହାଯାଇଛି ଯେ ବହୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ବାସନ କୁସନ ପାତ୍ରରେ ତେଲ ବୋହି ନେଇଥିଲେ।

ଏହି ଘଟଣା ଯୋଗୁ ପୋଲିସକୁ ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ଟ୍ରାଫିକ ଗତିବିଧିକୁ ପରିଚାଳନା କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡୁଥିଲା ଯାହା ପ୍ରାୟ ତିନି ଘଣ୍ଟା ଧରି ପ୍ରଭାବିତ ରହିଥିଲା। ଏହି ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଅଧିକାରୀ କହିଛନ୍ତି। ପରେ ସ୍ଥାନୀୟ ଉଦ୍ଧାରକାରୀ ଦଳ ଟ୍ୟାଙ୍କରକୁ ରାସ୍ତାରୁ ହଟାଇବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା।

Share