ମହାକାଳପଡ଼ା,୫ା୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ଗ୍ରାମରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଶତ୍ରୁତାକୁ ନେଇ ତାନ୍ତ୍ରିକଙ୍କ ସହଯୋଗରେ ସମସ୍ୟା ସମାଧାନ ଗ୍ରହ ଶାନ୍ତି ପୂଜାର୍ଚ୍ଚନା ଚାଲିଥିଲା। ଏହି ପୂଜା ପୂର୍ଣ୍ଣିମା ରାତିର ବିଳମ୍ବିତ ପ୍ରହର ଅର୍ଥାତ୍ ଶନିବାର ରାତି ହେଉଥିବା ପଡ଼ୋଶୀ ଜାଣିବାକୁ ପାଇଥିଲେ। ପରେ ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଶେଷରେ ଗ୍ରାମବାସୀ ତାନ୍ତ୍ରିକକୁ ବାନ୍ଧି ମାଡ଼ ମାରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜମ୍ବୁ ସାମୁଦ୍ରିକ ଥାନା ଖରିନାସୀ ଗ୍ରାମର ବିଶ୍ବନାଥ ମଣ୍ଡଳ ନିଜର ଗ୍ରହ ଶାନ୍ତି ପାଇଁ ପାରାଦୀପ ଅଞ୍ଚଳର ତାନ୍ତ୍ରିକ ବଲାଇ ଘଡ଼େଇଙ୍କୁ ଆଣି ନିଜ ଘରେ ରାତିରେ ପୂଜାର୍ଚ୍ଚନା କରୁଥିଲେ। ତାଙ୍କ ପଡ଼ୋଶୀ ମନୋରଞ୍ଜନ ମଣ୍ଡଳଙ୍କ ସହ ତାଙ୍କର ଶତ୍ରୁତା ଥିଲା। ଏ ସମ୍ପର୍କରେ ମନୋରଞ୍ଜନ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ରୁଣ୍ଡ ହୋଇ ତାନ୍ତ୍ରିକଙ୍କୁ କାବୁ କରି ବାନ୍ଧିବା ସହ, ପୂଜା ସାମଗ୍ରୀ ଜବତ କରିଥିଲେ। ଅପରପକ୍ଷରେ ତାନ୍ତ୍ରିକଙ୍କୁ ଆଣିଥିବା ବିଶ୍ବନାଥ ପରିବାର ଗ୍ରାମବାସୀଙ୍କ ଭୟରେ ଘରୁ ବାହାରୁ ନାହାନ୍ତି। ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ ମଧ୍ୟ ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ ପହଞ୍ଚିନାହିଁ।