ବାହାରେ ଥାଇ ମାଣ ବସାଇଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୨୫।୧୧: ବୋହୂର ନ୍ୟାର୍ଯ୍ୟ ଅଧିକାର ଦାବିକରି ଗତ ୪ ଦିନ ହେଲା ଶୀତ କାକରରେ ଶାଶୁଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ବିନୀ ଦାସ ଗୁରୁବାର ବୋହୂର କର୍ତ୍ତବ୍ୟ କରିବାକୁ ଭୁଲି ନାହାନ୍ତି । ବୋହୂମାନେ ଶାଶୁଘରେ ମାର୍ଗଶୀର ମାସ ଗୁରୁବାର ପାଳନ କରିବା ନିୟମ ଥିବା ବେଳେ ଘରେ ନ ପଶି ମଧ୍ୟ ଏହି ବ୍ରତ ପାଳନ କରିଛନ୍ତି ତପସ୍ବିନୀ ଓରଫ ଡିମ୍ପଲ। ଶାଶୁଘର ଗେଟ ବୋହୂ ପାଇଁ ଖୋଲୁ ନ ଥିବା ବେଳେ ଆଜି ଶାଶୁ ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି ଡିମ୍ପଲ । ବ୍ରହ୍ମପୁର ସହରର ବ୍ରହ୍ମାନଗରର ପ୍ରମୋଦ ସାହୁଙ୍କ ଘର ଆଗରେ ଡିମ୍ପଲ ଗତ ଚାରି ଦିନ ହେଲା ଧାରଣାରେ ବସିଥିଲେ । ଆଜି ସକାଳୁ ଡିମ୍ପଲ ପ୍ରମୋଦଙ୍କ ଘର ଆଗରେ ପୂଜା କରିବା ସହ ମାଣ ବସାଇଥିଲେ । ଏହାସତ୍ତ୍ୱେ ଶାଶୁଘର ଲୋକ ବାହାରକୁ ଆସି ନ ଥିଲେ।