ଶୋକାକୁଳ ପରିବେଶରେ ସମ୍ପନ୍ନ ହେଲା ତପୁ ମିଶ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ତପୁ ମିଶ୍ର ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଆଖି ବୁଜିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା। ପାର୍ଥିବ ଶରୀରକୁ ପ୍ରଥମେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା। ପରିବାର ଲୋକ ଓ ସମ୍ପର୍କୀୟ ଶେଷ ଦର୍ଶନ କରିଥିଲେ ।

ସତ୍ୟନଗର ଶ୍ମଶାନରେ ହିନ୍ଦୁ ରୀତିନୀତି ଅନୁସାରେ ରବିବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ବାମୀ ଦୀପକ ପୂଜାରୀ ମୁଖାଗ୍ନୀ ଦେଇଥିଲେ। ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ, ଉଷଶ୍ରୀ ମିଶ୍ରଙ୍କ ସମେତ ବହୁ ଓଲିଉଡ୍‌ ଅଭିନେତ୍ରୀ ଅଭିନେତା ତପୁଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସୂଚନାଯୋଗ୍ୟ, ମେ’ ୨୦ରେ ତପୁ କରୋନାରେ ସଂକ୍ରମିତ ହୋଇଥିଲେ। ପରେ ତାଙ୍କର କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ମାତ୍ର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଅକ୍ସିଜେନ ସ୍ତର କମିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ମାସେ ହେବ ଚିକିତ୍ସିତ ହେବା ପରେ ଜୀବନ ଯୁଦ୍ଧରେ ସେ ହାରି ଯାଇଥିଲେ। ତାଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

Share