ଖାର୍ଗେଙ୍କୁ ଅଭିଯୋଗ ଜଣାଇଲେ ତାରା

ଭୁବନେଶ୍ବର, ୧୭।୬(ସୁନିତ୍‌ ମିଶ୍ର): କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦିଲ୍ଲୀ ଯାଇ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି)ର ବରିଷ୍ଠ ନେତାଙ୍କୁ ଭେଟି ଅଭିଯୋଗ କରିବାରେ ଲାଗିଛନ୍ତି। ତାରାଙ୍କ ସ୍ତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲା କଂଗ୍ରେସ ସଭାପତି ପଦରୁ ବିଦା କରାଯିବା ପରେ ବିବାଦ ବଢ଼ିବାରେ ଲାଗିଛି। ତାରା ଗୁରୁବାର ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କୁ ଭେଟିଥିବା ବେଳେ ଶୁକ୍ରବାର ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ଖାର୍ଗେଙ୍କୁ ଭେଟିବା ସମୟରେ ତାରା ସବୁ କଥା ପୁଣି କହିବା ସହ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଏଥିସହ ଖାର୍ଗେଙ୍କୁ ଓଡ଼ିଶା ଗସ୍ତରେ ଆସିବା ଲାଗି ମଧ୍ୟ ସେ ଅନୁରୋଧ କରିଥିବା ଜଣାପଡ଼ିଛି। ଏହି ଅବସରରେ ତାରାଙ୍କୁ ବୁଝାଶୁଝା କରାଯାଇଥିବା ଶୁଣିବାକୁ ମିଳିଛି। ଦିଲ୍ଲୀରେ ଥିବା ତାରାଙ୍କ ଜଣେ ସମର୍ଥକଙ୍କ କହିବାନୁଯାୟୀ, ମୀନାକ୍ଷୀଙ୍କୁ ଆଉ ଜିଲା ସଭାପତି କରାଯିବା ଭଳି ମନେ ହେଉନାହିଁ। କାରଣ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ଏବେ କାମ କରୁଛି। ତେଣୁ ତାଙ୍କ ସୁପାରିସ ବିରୋଧରେ ପୁଣି ମୀନାକ୍ଷୀଙ୍କୁ ଜିଲା ସଭାପତି କରିବା ସହଜ ନୁହେଁ। ଏପରି ହେଲେ ବିବାଦ ଆହୁରି ବଢ଼ିବ ବୋଲି ଜାତୀୟ ନେତାମାନେ କହିଥିଲେ। ତେଣୁ ଦିଲ୍ଲୀରେ ତାରା କରିଥିବା ଲବି ବିଫଳ ହେଲେ ଏହାର ଏକ ଖରାପ ପ୍ରଭାବ କୋରାପୁଟ ଜିଲା ରାଜନୀତି ଉପରେ ପଡିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି।
ଅନ୍ୟପଟେ ତାରା ଶୁକ୍ରବାର ସକାଳୁ ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କୁ ମଧ୍ୟ ଭେଟିଥିଲେ। ତାଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଏହା ଉପରେ ତୁରନ୍ତ ବିଚାରକରି ନିଷ୍ପତ୍ତି ପରିବର୍ତ୍ତନ ପାଇଁ କହିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କିଛିଦିନ ତଳେ ତାରା ଏବଂ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ସମର୍ଥକମାନେ ପୃଥକ୍‌ ପୃଥକ୍‌ ଭାବେ ଭୁବନେଶ୍ୱର ଆସି ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଶକ୍ତି ପ୍ରଦର୍ଶନ କରିଥିଲେ। ପିସିସି ସଭାପତି ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିଥିଲେ। ଏବେ ଏହି କଳି ଯାଇ ଦିଲ୍ଲୀରେ ପହଞ୍ଚି ସାରିଛି। ତାରା ତାଙ୍କ ସମର୍ଥକଙ୍କ ସହ ଯାଇ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ତାରା ଗୁରୁବାର କହିଥିଲେ, ଏହା ଏକ ଔପଚାରିକ ସାକ୍ଷାତ ଥିଲା। କାହା ବିରୋଧରେ କିଛି କହିନାହୁଁ। କଂଗ୍ରେସ କିଭଳି କ୍ଷମତାକୁ ଆସିବ, ସେନେଇ ଆଲୋଚନା କରାଯାଇଛି ବୋଲି ସେ କହିଥିଲେ।

Share