ମିଳୁନି ଆବାସ, ଭଙ୍ଗାଘର ଭରସା

ବେଗୁନିଆ,୩ା୧୦(ଡି.ଏନ୍‌.ଏ.): ଅସହାୟ ଓ ଗରିବଙ୍କୁ ପକ୍କା ଘର ଯୋଗାଇଦେବା ଲାଗି ସରକାର ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ଆବାସ ଯୋଜନା ଏମାନଙ୍କ ଲାଗି ସାତସପନ ପାଲଟିଛି। ଏପରି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଗଡ଼ମାଣତୀର ଗ୍ରାମରେ ରହୁଥିବା ତାରାମଣି ହୋତା(୬୫)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ା ଜିଲାର ତାରାମଣି ଓ ତାଙ୍କ ସ୍ବାମୀ କାର୍ତ୍ତିକେଶ୍ୱରଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଦୟନୀୟ ଅବସ୍ଥାରେ ବସବାସ କରୁଥିଲେ। ମା’ରାମଚଣ୍ଡୀଙ୍କ ସାନ୍ନିଧ୍ୟ ଲାଭ ପାଇଁ ୧୯୯୧ରେ ତାରାମଣି ଓ ତାଙ୍କ ସ୍ବାମୀ ବେଗୁନିଆର ଗଡ଼ମାଣତୀରକୁ ଆସିଥିଲେ। ମା’ଙ୍କ ସେବା କରିବା ସହ ପୀଠରେ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହିଦିନଠାରୁ ଉଭୟ ଗ୍ରାମକୁ ଆଉ ଫେରି ନ ଥିଲେ। ପୀଠ ନିକଟ ନୂଆସାହିରେ ଏକ କୁଡ଼ିଆ ଘର କରି ରହୁଥିଲେ। ପରବର୍ତ୍ତୀ ସମୟରେ ସେମାନେ ଗଡମାଣତୀର ବାସିନ୍ଦା ଭାବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରାଇ ୧୯୯୨ରେ ପଞ୍ଚାୟତ ଭୋଟ ଦେଇଥିଲେ।

କିଛିଦିନ ପରେ କାର୍ତ୍ତିକେଶ୍ୱରଙ୍କ ମୃତ୍ୟୁ ହୋଇଥିଲା। ଏବେ ତାରାମଣି ଏବଂ ତାଙ୍କ ୧୬ବର୍ଷର ପୁଅ ବିକ୍ରମ ସେହି ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି। ଏପଟେ ବିକ୍ରମଙ୍କ ଆଖିକୁ ଠିକ୍‌ ସେ ଦେଖାଯାଉ ନାହିଁ। ୨୦୦୫ରୁ ରାମଚଣ୍ଡୀଙ୍କ ପୀଠରେ ତାରାମଣି ଭିକ୍ଷା ମାଗି ପରିବାର ଚଳାଉଛନ୍ତି। ଦୁଇ ଓଳି ଖାଇବାକୁ ସଂଘର୍ଷ କରୁଥିବା ବେଳେ ଘର ସଜାଡିବାକୁ ସମ୍ବଳ ନ ଥିବା କହିଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ପଞ୍ଚାୟତ, ବ୍ଲକ ପ୍ରଶାସନଠାରୁ ଜିଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି, କାର୍ଯ୍ୟକାରୀ ହେଉନାହିଁ। ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଛି ବୋଲି ତାରାମଣି କହିଛନ୍ତି। ଅନ୍ୟପକ୍ଷେ ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ଦାସ କହିଛନ୍ତି, ତାରାମଣି ରହୁଥିବା ସ୍ଥାନର ରେକର୍ଡପତ୍ର ଠିକ୍‌ ନ ଥିବାରୁ ତାଙ୍କୁ ଆବାସ ଯୋଜନାରେ ସାମିଲ୍‌ କରାଯାଇପାରୁ ନାହିଁ।