ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ):ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ବୁଧବାରରୁ ଆରମ୍ଭ ହେବାକୁ ଥିବା ଜାତୀୟ ହୁଇଲ ଚେୟାର କ୍ରିକେଟ୍ ଚାମ୍ପିୟନଶିପ୍ରେ ଓଡ଼ିଶା ଦଳ ଭାଗ ନେବ। କେନ୍ଦୁଝରର ଦିବ୍ୟାଙ୍ଗ ଖେଳାଳି ଅଭୟ କୁମାର ଜେନାଙ୍କ ନେତୃତ୍ୱରେ ଓଡ଼ିଶାର ୧୪ଜଣିଆ ଦଳ ଏଥିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ଜିଲା ସହରାପାଲି ଗ୍ରାମ ଆମ୍ବେଦକର ନଗର ନିବାସୀ ତରଣୀ ସୁନା(୪୧) ରହିଛନ୍ତି। ମଙ୍ଗଳବାର ସକାଳ ୭ଟାରେ ସେ ଟ୍ରେନ ଯୋଗେ ଗ୍ବାଲିୟର ଯାତ୍ରା କରିଛନ୍ତି। ବରଗଡ଼ ରେଳ ଷ୍ଟେଶନରେ ଏଚିଭର୍ସ ହେଲପିଂ ଫାଉଣ୍ଡେଶନର ସଭାପତି ଦିବାକର ମାଝି, ଓଡ଼ିଶା ଜନତା ସଂଘର୍ଷ ସମିତି ସ୍ବେଚ୍ଛାସେବୀ ଜନ କଲ୍ୟାଣ ସଂଗଠନର ସଭାପତି କିଶୋର ଚନ୍ଦ୍ର ସାହୁ, ଝାରସୁଗୁଡ଼ା ଜିଲା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତି ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀବତ୍ସ ଛତର ପ୍ରମୁଖ ରେଳ ଷ୍ଟେଶନରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ।