ପ୍ରଚାର ମଇଦାନରେ ତାରା: ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଶତାଧିକ କର୍ମୀ

କୋରାପୁଟ,୧୩ା୪(ଅମିତାଭ ବେହେରା): କୋରାପୁଟ ଜିଲାର ଲକ୍ଷ୍ମୀପୁର ନିିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଦଶମନ୍ତପୁରଠାରେ ଶନିବାର କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କଂଗ୍ରେସର ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ନିର୍ବାଚନୀ ସଭାରେ ଦଶମନ୍ତପୁର ବ୍ଲକ କଂଗ୍ରେସ କମିଟି ସଭାପତି ବେଣୁଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ତାରାଙ୍କ ସହ କଂଗ୍ରେସର ଲୋକ ସଭା ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କ ସମେତ ହଜାରରୁ ଉଦ୍ଧର୍‌ବ ଲୋକଙ୍କ ସମାବେଶ ହୋଇଥିଲା । କଂଗ୍ରେସ ସରକାର ଆସିଲେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ତାରା ପ୍ରସାଦ ବାହିନୀପତି ଏହି ଅବସରରେ ପ୍ରକାଶ କରିଥିଲେ। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପବିତ୍ର ସାଉନ୍ତାଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଉପସ୍ଥିତ ଥିବା ଭୋଟରଙ୍କୁ ତାରା ନିବେଦନ କରିଥିଲେ। କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଏମ୍‌ପି ପ୍ରାର୍ଥୀ ଭାବେ ସପ୍ତଗିରି ଶଙ୍କର ଉଲାକାଙ୍କୁ କଂଗ୍ରେସ ପୁଣି ଥରେ ଟିକେଟ ପ୍ରଦାନ କରିଛି। ତେଣୁ କଂଗ୍ରେସ ଏମ୍‌ପି ପ୍ରାର୍ଥୀ ସପ୍ତଗିରିଙ୍କୁ ମଧ୍ୟ ବିପୁଳ ଭୋଟ୍‌ରେ ବିଜୟୀ କରିବାକୁ ସେ ନିବେଦନ କରିଥିଲେ।

ଏହି ସଭାରେ ବିଜେଡିର ୧୦୦ କର୍ମୀ କଂଗ୍ରେସର ସାମିଲ ହୋଇଥିଲେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପର୍ଯ୍ୟବେକ୍ଷକ ଜଗଦୀଶ ଖୋସଲା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ପବିତ୍ର ସାଉନ୍ତା, ଦଶମନ୍ତପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ହୁଇକା, ଲକ୍ଷ୍ମୀପୁର ବ୍ଲକ କଂଗ୍ରେସ କମିଟି ସଭାପତି କୈଳାସ ଖୋସଲା ପ୍ରମୁଖଙ୍କ ସହ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ କୋରାପୁଟ ଓ ନବରଙ୍ଗପୁର ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ ବୋଲି ରାଜ୍ୟ କଂଗ୍ରେସର ହେଭିିଓ୍ବେଟ୍‌ ନେତା ତାରା ପ୍ରସାଦ ବାହିନୀପତି ଦୃଢ଼ତା ସହ ପ୍ରକାଶ କରିଛନ୍ତି।