ଜୁଲାଇ ୧୦ ସୁଦ୍ଧା ୧୨,୦୦୦ ପ୍ରକଳ୍ପ ଲକ୍ଷ୍ୟ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମୁକ୍ତା’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳରେ ବର୍ଷା ଜଳ ଅମଳ ବ୍ୟବସ୍ଥା (ଆର୍‌ଡବ୍ଲ୍ୟୁଏଚ୍‌ଏସ୍‌) ଲାଗି ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଅଭିଯାନ। ସହରାଞ୍ଚଳଗୁଡ଼ିକରେ ହ୍ରାସ ପାଉଥିବା ଜଳସ୍ତର ସମସ୍ୟାର ସମାଧାନ ଲାଗି ଅନୂ୍ୟନ ୫୦୦୦ ବର୍ଷା ଜଳ ସଂରକ୍ଷଣ ସଂରଚନା ନିର୍ମାଣ ଲକ୍ଷ୍ୟ ନେଇ ଗତ ଏପ୍ରିଲ ୧୫ରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ପ୍ରକଳ୍ପ ନିର୍ମାଣ ହୋଇଛି। ସହରାଞ୍ଚଳଗୁଡ଼ିକର ୧୯୯୦ ଓ୍ବାର୍ଡରେ ବର୍ଷା ଜଳ ଅମଳ ପ୍ରକଳ୍ପ ଯୋଜନା କରାଯାଇଛି। ଏଥିଲାଗି ୧୫,୦୦୦ ସାଇଟ୍‌ ଚୟନ କରାଯାଇଛି। ଏହି ସବୁ ପ୍ରକଳ୍ପରେ ୭୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ୧୪,୦୦୦ କାର୍ଯ୍ୟାଦେଶ ଜାରି କରାଯାଇଛି। ଅଦ୍ୟାବଧି ୧୦,୧୭୬ ଆର୍‌ଡବ୍ଲ୍ୟୁଏଚ୍‌ଏସ୍‌ ଶେଷ ହୋଇଛି। ଜୁଲାଇ ୧୦ ସୁଦ୍ଧା ୧୨,୦୦୦ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏସବୁ କାର୍ଯ୍ୟରେ ୭,୬୯୮ ଏମଏସ୍‌ଜି ଏବଂ ଏସ୍‌ଡିଏ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଛି।
ଲକ୍ଷ୍ୟପୂରଣ ଲାଗି ବିଭାଗୀୟ ପ୍ରମୁଖ ସଚିବଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ଆଗେଇ ଚାଲିଛି। କ୍ଷେତ୍ରସ୍ତରରେ ସଫଳତା ପାଇଁ ଗୋଷ୍ଠୀ ପରିଚାଳନା ପଦ୍ଧତି ଗ୍ରହଣ କରାଯାଇଛି। ଏହି କାର୍ଯ୍ୟରେ ମିଶନ ଶକ୍ତି ଭଳି କମ୍ୟୁନିଟି ଆଧାରିତ ସଙ୍ଗଠନ (ସିବିଓ)ଗୁଡ଼ିକୁ ନିୟୋଜିତ କରିବା ଲାଗି ପ୍ରାଧାନ୍ୟ ଦିଆଯାଉଛି। ତେଣୁ ଏହି ଅଭିଯାନକୁ କ୍ଷେତ୍ରସ୍ତରରୁ ବିପୁଳ ସମର୍ଥନ ମିଳୁଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶର ପୂର୍ବ ଉପକୂଳରେ ଅବସ୍ଥିତ ଓଡ଼ିଶାରେ ବାର୍ଷିକ ହାରାହାରି ୧୨୦୦ ମିଲିମିଟରରୁ ୧୮୦୦ ମିଲିମିଟର ବର୍ଷା ହୋଇଥାଏ। ହେଲେ ବର୍ଷାଜଳର ସିଂହଭାଗ ସମୁଦ୍ରକୁ ଚାଲିଯାଉଛି। ତେଣୁ ବୋହିଯାଉଥିବା ଜଳକୁ ସଂରକ୍ଷଣ କରିବା ଲାଗି ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଆର୍‌ଡବ୍ଲ୍ୟୁଏଚ୍‌ଏସ୍‌ର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଏବଂ ପରାମର୍ଶଦାତାଙ୍କୁ ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। କାର୍ଯ୍ୟରେ ସ୍ବଚ୍ଛତା, ଉତ୍ତରଦାୟିତ୍ୱ, କାର୍ଯ୍ୟଦକ୍ଷତାରେ ଉନ୍ନତି, ଫଳଫଳ ନିରୂପଣ ଲାଗି ଅଡିଟ୍‌ ବ୍ୟବସ୍ଥା କରାଯାଇଛି। ଏହି ଅଭିଯାନ ଦ୍ୱାରା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକର ଦକ୍ଷତା ବୃଦ୍ଧି ହୋଇପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି।
ଅଭିଯାନ ସମ୍ପର୍କରେ ସୂଚନାଦେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ବିଭାଗ ପକ୍ଷରୁ ମାତ୍ର ୭୫ ଦିନରେ ରାଜ୍ୟର ୧୧୪ ପୌରାଞ୍ଚଳରେ ୧୦ ହଜାର ଆର୍‌ଡବ୍ଲ୍ୟୁଏଚ୍‌ଏସ୍‌ ପ୍ରତିଷ୍ଠା କରି ‘କ୍ୟାଚ୍‌ ଦି ରେନ୍‌’ ଅଭିଯାନରେ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କରାଯାଇପାରିଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟର ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଭାଗରେ ଥିବା ପୌରାଞ୍ଚଳଗୁଡିକରେ ଆଉ ୧୦ ହଜାର ପ୍ରକଳ୍ପ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

Share