Categories: ଜାତୀୟ

ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ କଶ୍ୱୀରରେ ବଢୁଛି ଟାର୍ଗେଟ କିଲିଂ

ଜମ୍ମୁ,୮ ।୧୦: ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ପାକିସ୍ତାନର ଇସାରାରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବିଶେଷ କରି ଅକ୍ଟୋବରରେ ଏମିତି ଲୋକଙ୍କୁ ଟାର୍ଗେଟ କରାଯାଉଛି ଯେଉଁମାନେ ଆତଙ୍କବାଦାର ଚରମ ସୀମାରେ ପହଞ୍ଚିଥିଲେ ବି ସେମାନେ ପଳାୟନ କରି ନ ଥିଲେ । କୁହାଯାଉଛି କି କଶ୍ମୀର ପଣ୍ଡିତ, ଶିଖ ଓ ବିନା ଶିଖ ହିନ୍ଦୁଙ୍କୁ ବାଛି ବାଛି ଟାର୍ଗେଟ କରାଯାଉଛି । ତେବେ ସରକାର କଶ୍ମୀର ପଣ୍ଡିତଙ୍କ ଘର ବାହୁଡାକୁ ନେଇ ପ୍ରୟାସ ଆରମ୍ଭ କରିଥିବା ବେଳେ ପାକିସ୍ତାନ ସୀମାରେ ଅଶାନ୍ତି ପରିବେଶ ସୃଷ୍ଟି କରିବାରେ ଲାଗି ପଡିଛି । ୯୦ ଦଶକରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ କଶ୍ମୀର ପଣ୍ଡିତମାନେ ଘାଟି ଛାଡିବାକୁ ବାଧ୍ୟ ହୋଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଅଧିକାଂଶ ହତ୍ୟା ଶ୍ରୀନଗରରେ ହେଉଛି, ଯାହା ସୁରକ୍ଷାକର୍ମୀଙ୍କ ପାଇଁ ଚିନ୍ତାର କାରଣ ହେଲାଣି । କୁହାଯାଉଛି କଶ୍ମୀର ପଣ୍ଡିତଙ୍କ ଘାଟିକୁ ଫେରିବାର ପ୍ରୟାସ ଓ ସେମାନଙ୍କ ସମ୍ପତି ଉପରେ ହୋଇଥିବା କବଜାରୁ ପୁଣିଥରେ ମୁକୁଳାଇବାର ଯୋଜନାକୁ ଦେଖି ପାକିସ୍ତାନ ଏକ ପ୍ରକାର ଭୟ ପାଇ ଯାଇଛି । ଫଳରେ ସେ ୧୯୯୦ ଭଳି ପରିସ୍ଥିତି ଉପଜାଇବାକୁ ପ୍ରସ୍ତୁତିରେ ରହିଛି । କଶ୍ମୀତ ପଣ୍ଡିତ, ଶିଖ ଓ କଶ୍ମୀର ବାହାରର ଜନତାଙ୍କୁ ଟାର୍ଗେଟ କରିବା ସହ ମନ୍ଦିର ଭଙ୍ଗା ରୁଜା ଭଳି ଅମାନବୀୟ କାଣ୍ଡ କରୁଛି । ଏବେ ଘାଟିରେ କଶ୍ମୀର ପଣ୍ଡିତ ଓ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବାକୁ ଦାୟି କରାଯାଉଛି । ପାକିସ୍ତାନ ଓ ଏହାର ଗୁଇନ୍ଦା ସଂସ୍ଥାକୁ ଚିନ୍ତା ହେଉଛି, କଶ୍ମୀରି ହିନ୍ଦୁଙ୍କୁ ପୁଣିଥରେ ଘାଟିରେ ରହିବାର ସରକାରୀ ପ୍ରୟାସ ସଫଳହେଲା ତ କଶ୍ମୀରକୁ ଅସ୍ଥିର କରିବାର ପ୍ରୟାସ ବେକାର ହୋଇଯିବ ।

Share