Categories: ଜାତୀୟ

ଟାର୍ଗେଟ କିଲିଂ, ୧୫ ଦିନରେ ୧୧ ଜଣଙ୍କୁ ହତ୍ୟା କଲେଣି ଆତଙ୍କବାଦୀ…

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ପକ୍ଷରୁ ଟାର୍ଗେଟ୍‌ କିଲିଂ ଜାରି ରହିଛି। ଚଳିତ ମାସରେ ଗତ ୧୫ ଦିନ ମଧ୍ୟରେ ଆତଙ୍କବାଦୀମାନେ ୧୧ ଜଣ ସାଧାରଣ ଲୋକଙ୍କୁ ହତ୍ୟା କଲେଣି। ରବିବାର କୁଲଗାମ୍‌ରେ ବିହାରରୁ ଆସି ଶ୍ରମିକ ଭାବେ କାମ କରୁଥିବା ୨ ଜଣ ଲୋକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କୁ ରାଜା ଦେବ ଏବଂ ଯୋଗିନ୍ଦର ଦେବ ଭାବେ ଚିହ୍ନଟ କରାଯାଇଛି। ସେମାନେ ସ୍ଥାନୀୟ ବିଧାୟକଙ୍କ ଘର ପାଖରେ ରହୁଥିଲେ। ଏହି ଘଟଣାରେ ଜଣେ ଲୋକ ଆହତ ହୋଇଛନ୍ତି।

ଆତଙ୍କବାଦୀମାନେ ସେମାନଙ୍କର ରଣନୀତିରେ ପରିବର୍ତ୍ତନ କରି ଅଣ ଜମ୍ମୁ-କଶ୍ମୀର ବାସିନ୍ଦା ଏବଂ ସ୍ଥାନୀୟ ସଂଖ୍ୟାଲଘୁ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରୁଛନ୍ତି।

ଅକ୍ଟୋବର ୨ରେ ମହମ୍ମଦ ଶଫି ଡାରଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀଙ୍କ ସମ୍ପର୍କିତ ସୂଚନା ପ୍ରଦାନ କରୁଥିଲେ। ସେହିପରି ଶ୍ରୀନଗରର ଚଟ୍ଟାବଳ ଅଞ୍ଚଳରେ ରହୁଥିବା ମାଜିଦ୍‌ ଅହମ୍ମଦ ଗୋଜରିଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ। ସେ ସୁରକ୍ଷାକର୍ମୀଙ୍କ ଯୋଗାଯୋଗରେ ଥିଲେ। ଅକ୍ଟୋବର ୫ରେ ଶ୍ରୀନଗରରେ ବାସ କରୁଥିବା କଶ୍ମୀର ପଣ୍ଡିତ ମାଖନ ଲାଲ୍‌ ବିନ୍ଦୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ବିନ୍ଦୁଙ୍କୁ ହତ୍ୟା କରାଯିବା କିଛି ଘଣ୍ଟା ମଧ୍ୟରେ ବିହାରର ବୀରେନ୍ଦ୍ର ପାସଓ୍ବାନଙ୍କୁ ଗୁଳି ଆତଙ୍କବାଦୀ ହତ୍ୟା କରିଥିଲେ। ସେହିପରି ବନ୍ଦିପୋରାର ମହମ୍ମଦ ଶାଫି ଲୋନ୍‌ଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଅକ୍ଟୋବର ୭ରେ ଶ୍ରୀନଗରରେ ଜଣେ ସ୍କୁଲ ପ୍ରିନ୍ସପଲ ସୁପିନ୍ଦର କୌର ଏବଂ ଶିକ୍ଷକ ଦୀପକ ଚନ୍ଦଙ୍କୁ ନିକଟରୁ ଗୁଳି କରି ଆତଙ୍କବାଦୀ ହତ୍ୟା କରିଥିଲେ।

ଉତ୍ତରପ୍ରଦେଶରୁ ଆସି ପୁଲଓ୍ବାମାରେ ବଢ଼େଇ କାମ କରୁଥିବା ସଗିର ଅହମ୍ମଦଙ୍କୁ ହତ୍ୟା କରାଯାଇଥିଲା। ଅକ୍ଠୋବର ୧୬ରେ ଶ୍ରୀନଗରରେ ବିହାରରୁ ଆସି ଗୁପଚୁପ୍‌ ବିକ୍ରି କରୁଥିବା ଅରବିନ୍ଦ କୁମାର ଶାହାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ସେ ଇଦ୍‌ଗାହ ଅଞ୍ଚଳରେ ଏକ ପାର୍କ ବାହାରେ ଗୁପ୍‌ଚୁପ୍‌ ବିକ୍ରି କରୁଥିଲେ।

ଆତଙ୍କବାଦୀଙ୍କ ଟାର୍ଗେଟ୍‌ କିଲିଂକୁ ଦୃଷ୍ଟିରେ ରଖି ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

 

Share