Categories: ଜାତୀୟ

ଟାର୍ଗେଟ୍‌ କିଲିଂ, ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ୫୭୦ ଅଟକ…

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରରେ ଅଳ୍ପସଂଖ୍ୟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିି। କେତେକ ପଥର ଫିଙ୍ଗୁଥିବା ଏବଂ ଭାରତ ବିରୋଧୀ କାର୍ଯ୍ୟରେ ସାମିଲଥିବା ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଗୋଟିଏ ସପ୍ତାହରେ ୬ ଜଣ ସାଧାରଣ ନାଗରିକଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯାଇଛି।

ସମଗ୍ର କଶ୍ମୀରରେ ୫୭୦ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଛି। ଶ୍ରୀନଗରରେ ପ୍ରାୟ ୭୦ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ ପରେ ଦେଶର ସୁରକ୍ଷା ଏଜେନ୍ସିର ବରିଷ୍ଠ ବିଶେଷଜ୍ଞମାନଙ୍କୁ କାଶ୍ମୀରକୁ ପଠାଯାଇଛି।

ଆତଙ୍କବାଦୀଙ୍କ ବିରୋଧାରେ ବଡ ଧରଣର ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହେବାର ଯୋଜନା ରହିଥିବା କୁହାଯାଉଛି। ନିରୀହ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କିଲିଂ କରାଯାଉଥିବାରୁ ଆତଙ୍କବାଦୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଚଳିତ ବର୍ଷ ଇତିମଧ୍ୟରେ ୨୫ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି। ସେଥିମଧ୍ୟରୁ ତିନି ଜଣ ବାହାର ଲୋକ, ଦୁଇଜଣ କାଶ୍ମୀର ପଣ୍ଡିତ ଏବଂ ୧୮ ଜଣ ମୁସଲମାନ ଥିଲେ।

ଶ୍ରୀନଗରରେ ସର୍ବାଧିକ ସଂଖ୍ୟକ ଆକ୍ରମଣ ହୋଇଛି। ଏଥିରେ ୧୦ଟି ଘଟଣା ଘଟିଛି। ଏହା ପରେ ପୁଲୱାମା ଏବଂ ଅନନ୍ତନାଗରେ ପ୍ରତ୍ୟେକରେ ଚାରିଟି ଘଟଣା ଘଟିଛି। ଇନପୁଟରୁ ଜଣାପଡିଛି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରାୟ ୫୦-୬୦ ଅଣ-ପ୍ରବାସୀ ଭାରତୀୟ କାଶ୍ମୀର ପଣ୍ଡିତ ପରିବାର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କଶ୍ମୀରରୁ ଜମ୍ମୁକୁ ନିଜର ଭିଟାମାଟିକୁ ଯିବାର ସମ୍ଭାବନା ରହିଛି।

Share