Categories: ଖେଳ

ଅଷ୍ଟ୍ରେଲିଆ ଆଗରେ ୧୫୫ ରନ୍‌ର ଟାର୍ଗେଟ୍‌

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୪ ରନ୍‌ କରିଛି। ଫଳରେ ଅଷ୍ଟ୍ରେଲିଆ ଆଗରେ ୧୫୫ ରନ୍‌ର ବିଜୟ ଟାର୍ଗେଟ ରଖିଛି ଟିମ୍‌ ଇଣ୍ଡିଆ।

ଭାରତର ସ୍ମୃତି ମନ୍ଧାନା ଏବଂ ଶେଫାଲି ବର୍ମା ଓପନିଂ କରିବାକୁ ଆସି ଦଳକୁ ଭଲ ଷ୍ଟାଟ ଦେଇଥିଲେ। ସ୍ମୃତି ୧୭ ବଲ୍‌ ଖେଳି ୨୪ ରନ୍‌ (୫ ଚୌକା) କରି ଆଉଟ ହୋଇଥିବା ବେଳେ ଶେଫାଲି ଅର୍ଦ୍ଦଶତକରୁ ବଞ୍ଚିତ ହୋଇଥିଲେ। ସେ ୩୩ ବଲ୍‌ ଖେଳି ୪୮ ରନ(୯ ଚୌକା)ର ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ପରବର୍ତ୍ତୀ ସମୟରେ ୟାସ୍ତିକା ଭାଟିଆ ବ୍ୟାଟିଂ କରିବାକୁ ଆସି ବିଶେଷ କିଛି କରିପାରି ନ ଥିଲେ। ଭାଟିଆ ୮ ରନ୍‌ କରି ରନ୍‌ଆଉଟ ହୋଇଯାଇଥିଲେ। ପରେ ଅଧିନାୟକ ହରମନପ୍ରୀତ କୌର ବ୍ୟାଟିଂ କରିବାକୁ ଆସି ଧୈର୍ଯ୍ୟର ସହ ଖେଳିଥିଲେ। ସେ ୩୨ ବଲ୍‌ରେ ୫୨ରନ୍‌ର (୮ ଚୌକା ଏବଂ ୧ ଛକା) ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଫଳରେ ଭାରତ ମହିଳା ଦଳ ୧୫୪ ରନ୍‌ କରିବାରେ ସଫଳ ହୋଇଥିଲା।

ଅଷ୍ଟ୍ରେଲିଆର ଜେସ୍‌ ଜୋନାସେନ୍‌ ୪ ଉଇକେଟ ନେଇଥିବା ବେଳେ ମେଗନ ସ୍କଟ୍‌ ୨ ଉଇକେଟ ନେଇଥିଲେ। ସେହିପରି ଡି.ବ୍ରାଉନ ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ।

Share