Categories: ଖେଳ

ଟ୍ରଫି ହାତେଇବା ପାଇଁ ଚେନ୍ନାଇ ଆଗରେ ୨୧୫ ରନ୍‌ର ଟାର୍ଗେଟ୍‌

ଅହମଦାବାଦ,୨୯।୫: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୩ର ଫାଇନାଲ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଗୁଜରାଟ ଟାଇଟନ୍ସ(ଜିଟି) ବ୍ୟାଟିଂ ଆରମ୍ଭ କରିଥିଲା। ବ୍ୟାଟର ସାଇ ସୁଦର୍ଶନଙ୍କ ଦମ୍‌ଦାର ୯୬ ରନ୍‌ ବଲରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୧୪ ରନ୍‌ କରିଛି। ଫଳରେ ଚେନ୍ନାଇ ଆଗରେ ୨୧୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଗୁଜରାଟ।

ଗୁଜରାଟର ଦୁଇ ଓପ୍‌ନର ରିଦ୍ଧିମାନ ସାହା ଏବଂ ଇନ୍‌ଫର୍ମ ଶୁବମନ ଗିଲ ବ୍ୟାଟିଂ କରିବାକୁ ଆସି ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ। ଶୁବମନ ୨୦ ବଲରେ ୩୯ ରନ୍‌ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ଦଳ ୬୭ ରନ୍‌ରେ ପ୍ରଥମ ଉଇକେଟ ହରାଇଥିଲା। ପରେ ସାଇ ସୁଦର୍ଶନ ବ୍ୟାଟିଂ କରିବାକୁ ଆସି ଦଳକୁ ଆଗକୁ ନେଇଥିଲେ। ସେ ଧୈର୍ଯ୍ୟର ସହ ବ୍ୟାଟିଂକରି ୧୬ତମ ଓଭରରେ ଏକ ଚୌକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ। ସୁଦର୍ଶନ ୪୭ ବଲ୍‌ରେ ବିସ୍ଫୋରକ ୯୬ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସେ ୮ ଚୌକା ଏବଂ ୬ ଛକା ମାରିଥିଲେ। ଏପରି କି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲ୍‌ରେ ୨ଟି ଛକା ମାରି ୨୧ ରନ୍‌ର ଇନିଂସ ଖେଳିଥିଲେ। ଫଳରେ ଗୁଜରାଟ ୨୧୪ ରନ୍‌ କରିବାରେ ସକ୍ଷମ ହୋଇଛି।

Share