ଭାରତ ମହାସାଗର ଉପରେ ଲକ୍ଷ୍ୟ, ଚାଇନା-ପାକିସ୍ତାନର ନୌଭ୍ୟାସ…

ବେଜିଂ,୧୧।୭ : ଭାରତ ମହାସାଗରରେ ଉନ୍ନତ ନୌସେନା ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଚାଇନା ଏବଂ ପାକିସ୍ତାନ ସାଂଘାଇ ଉପକୂଳରେ ସାଗର ଗାର୍ଡିଆନ-୨ ଅଭ୍ୟାସ ଆରମ୍ଭ କରିଛନ୍ତି। ସାମୁଦ୍ରିକ ସୁରକ୍ଷା ବିପଦର ମୁକାବିଲା ପାଇଁ ସେମାନଙ୍କର ନୂତନ ଉଚ୍ଚ-ବୈଷୟିକ ନୌସେନା ଜାହାଜ ଏବଂ ଯୁଦ୍ଧ ବିମାନକୁ ଏଥିରେ ନିୟୋଜିତ କରାଯାଇଛି।

ଚାଇନା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ନୌସେନାର ମୁଖପାତ୍ର କ୍ୟାପଟେନ ଲିୟୁ ୱେଶଙ୍ଗ ଏକ ବିବୃତ୍ତିରେ କହିଛନ୍ତି ଯେ ଜୁଲାଇ ମଧ୍ୟଭାଗରେ ସାଂଘାଇର ସାମୁଦ୍ରିକ ତଥା ଏୟାରଫିଲ୍ଡରେ ଦୁଇଦେଶ ମଧ୍ୟରେ ନୌଭ୍ୟାସ ଆୟୋଜନ କରାଯାଇଛି। ତେବେ ଏହାକୁ ନେଇ ଭାରତର ଚିନ୍ତା ବଢ଼ିବାରେ ଲାଗିଛି।

ଉଭୟ ଦେଶର ନୌଭ୍ୟାସର ଦ୍ୱିତୀୟ ସଂସ୍କରଣ ପାଇଁ ଏକ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଲିୟୁ କହିଛନ୍ତି ଯେ ଏହି ନୌଭ୍ୟାସ ବାର୍ଷିକ କାର୍ଯ୍ୟସୂଚୀ ଅନୁଯାୟୀ ଏକ ସାଧାରଣ ବ୍ୟବସ୍ଥା ଏବଂ ଏହା କୌଣସି ତୃତୀୟ ପକ୍ଷଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ନୁହେଁ। ଚାଇନାର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁସାରେ ଏହି ଅଭ୍ୟାସ ପାଇଁ ଯୁଦ୍ଧପୋତ ଜିଆଙ୍ଗଟନ, ଯୁଦ୍ଧପୋତ ଶୁଓଝୋଓ, ଜାହାଜ କିୟାନଦାଓହୁ, ଏକ ବୁଡ଼ାଜାହାଜ, ଚେତାବନୀ ବିମାନ, ଦୁଇଟି ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ପଠାଯାଇଥିବାବେଳେ ପାକିସ୍ତାନ ନୌସେନାର ଜାହାଜ ତୈମୁର ଏହି ଅଭ୍ୟାସରେ ଯୋଗ ଦେଇଛି। ଚାଇନାର ପୂର୍ବ ନୌସେନା ଥିଏଟର କମାଣ୍ଡ ପକ୍ଷରୁ ଏହା ଆୟୋଜନ କରାଯାଇଛି।

Share