Categories: ଜାତୀୟ

ସୁରକ୍ଷାବଳକୁ ପୁଣି ଟାର୍ଗେଟ

ନୂଆଦିଲ୍ଲୀ,୩।୧(ପି.ଟି.): ମଣିପୁରର ଥୋଉବଲ ଜିଲାରେ ସୋମବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ପରେ ବ୍ୟାପକ ପୋଡ଼ାଜଳା ହୋଇଥିଲା। ହିଂସାକାଣ୍ଡ ପରେ ୫ ଉପତ୍ୟକା ଜିଲାରେ ପୁଣିଥରେ କର୍ଫ୍ୟୁ ଜାରି କରାଯାଇଥିଲା। ମଙ୍ଗଳବାର ସକାଳେ ଟେଙ୍ଗନୌପାଲ ଜିଲାର ମୋରେହ ଜିଲାରେ ସୁରକ୍ଷା ବଳ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଇମ୍ଫାଲଠାରୁ ୧୦୭ କି.ମି. ଦୂର ଚାଭଙ୍ଗଫାଇରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏଥିରେ ୭ ଜଣ ସୁରକ୍ଷା ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ଇମ୍ଫାଲ ନିଆଯାଇଛି। ସୁରକ୍ଷା ବଳ ଉପରେ ଆକ୍ରମଣ କରିଥିବା ୨ ଜଣଙ୍କୁ ପୋଲିସ ଅଟକ ରଖିଥିବାବେଳେ ସେମାନଙ୍କୁ ଛାଡ଼ିଦେବା ପାଇଁ ସ୍ଥାନୀୟ ମହିଳା ଉଦ୍ୟମ ଚଳାଇଛନ୍ତି। ମ୍ୟାନ୍‌ମାର ସୀମାକୁ ଲାଗିଥିବା ମୋରେହ ସହରରେ ଗତ ୩୦ ତାରିଖରୁ ଉଗ୍ରପନ୍ଥୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ରାଜ୍ୟରେ ଅସ୍ଥିରତା ସୃଷ୍ଟି ପାଇଁ ମ୍ୟାନ୍‌ମାରର ଉଗ୍ରପନ୍ଥୀମାନେ ଆକ୍ରମଣରେ ସମ୍ପୃକ୍ତ ଥିବା ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଅଭିଯୋଗ କରିବା ସହ ଏହା ଜାତୀୟ ନିରାପତ୍ତା ପ୍ରତି ଗୁରୁତର ବିପଦ ବୋଲି କହିଛନ୍ତି। ଏନେଇ ରାଜ୍ୟର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ମ୍ୟାନ୍‌ମାରରୁ ଉଗ୍ରପନ୍ଥୀମାନେ ପ୍ରବେଶ କରି ମଣିପୁରରେ ଅସ୍ଥିରତା ସୃଷ୍ଟି କରୁତ୍ଥିବାରୁ ୨ ଦେଶ ମଧ୍ୟରେ ରହିଥିବା ମୁକ୍ତ ଗତିବିଧି ବ୍ୟବସ୍ଥା (ଏଫ୍‌ଏମ୍‌ଆର୍‌) ଖୁବ୍‌ଶୀଘ୍ର ବନ୍ଦ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଭାରତ-ମ୍ୟାନ୍‌ମାର ସୀମାର ଉଭୟ ପାର୍ଶ୍ୱ ମଧ୍ୟକୁ ୧୬ କିଲୋମିଟର ପର୍ଯ୍ୟନ୍ତ ବିନା ଭିଜାରେ ପ୍ରବେଶ କରିବା ପାଇଁ ଏଫ୍‌ଏମ୍‌ଆର୍‌ ଦୁଇଦେଶର ନାଗରିକଙ୍କୁ ଅନୁମତି ଦେଇଥିଲା। ଭାରତ ଓ ମ୍ୟାନ୍‌ମାର ମଧ୍ୟରେ ୧,୬୪୩ କିଲୋମିଟର ସୀମା ରହିଛି। ସୀମାରେଖାକୁ ଲାଗି ମିଜୋରାମ, ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳପ୍ରଦେଶ ରହିଛି। ଭାରତର ପ୍ରାଚ୍ୟ ନୀତି ଅନୁଯାୟୀ ୨୦୧୮ରେ ଏଫ୍‌ଏମ୍‌ଆର୍‌ କାର୍ଯ୍ୟକାରୀ ହୋଇଥିଲା। ଏହାକୁ ବନ୍ଦ କରାଯିବ ବୋଲି ଜଣେ କେନ୍ଦ୍ର ପ୍ରଶାସନିକ ଅଧିକାରୀ ମଙ୍ଗଳବାର କହିଛନ୍ତି।
ମଣିପୁରରେ ସାନି ହିଂସାରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ସମସ୍ତ ଷ୍ଟେକ୍‌ହୋଲ୍ଡରଙ୍କ ସହ ଆଲୋଚନା କରି ବଳିଷ୍ଠ ପଦକ୍ଷେପ ନେବାକୁ ପ୍ରିୟଙ୍କା ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମେ’ ୩ରୁ ମଣିପୁରରେ ଜାତିଆଣ ହିଂସାକାଣ୍ଡ ଲାଗିରହିବା ଫଳରେ ୧୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସହ ୬୦ ହଜାର ଲୋକ ଘରଦ୍ୱାର ଛାଡ଼ି ପଳାଇଯାଇଥିଲେ।

Share