Categories: ଜାତୀୟ

ଟାର୍ଗେଟ କିଲିଂ ଘଟଣା: ବୈଠକରେ ଶାହା ନେଇପାରନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୬: ଜମ୍ମୁ-କଶ୍ମୀରରେ ଗତ କିଛି ଦିନରୁ ଲଗାତର ଭାବେ ଟାର୍ଗେଟ କିଲିଂ ଘଟଣା ଜାରି ରହିଛି। ଇତିମଧ୍ୟରେ ଦିଲ୍ଲୀରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଏନ୍‌ଏସ୍‌ଏ ଅଜିତ ଡୋଭାଲ, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା, ରୋ’ ମୁଖ୍ୟ ସମଥ ଗୋଏଲ, ଡିଜି ସିଆରଏଫ୍‌ କୁଲଦୀପ ସିଂହ, ସୀମା ସୁରକ୍ଷା ବଳ ପଙ୍କଜ ସିଂହ ମୁଖ୍ୟ ଓ ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂହ ସମେତ ଅନ୍ୟ ମୁଖ୍ୟ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ମୁତାବକ, ଏହି ବୈଠକରେ ଅମିତ ଶାହା କହିଛନ୍ତି, କଶ୍ମୀର ହେଉ କିମ୍ବା କଶ୍ମୀର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉ। ସ୍ଥାନୀୟ ସ୍ତରରେ ଗୁପ୍ତଚର ଏବଂ ସୁରକ୍ଷା ସୀମାକୁ ଆହୁରି ବୃଦ୍ଧି କରାଯିବାକୁ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କଶ୍ମୀରର ଏଭଳିି ଅଞ୍ଚଳକୁ ଚିହ୍ନଟ କରାଯାଉ ଯେଉଁଠାରେ ଘଟଣା ଘଟିବାର ସମ୍ଭାବନା ରହିଛି। ଆତଙ୍କବାଦ ବିସ୍ତାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କୌଣସି ମୂଲ୍ୟରେ ସେମାନଙ୍କୁ ନ ଛାଡ଼ିବା ପାଇଁ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ପୁରା ଘଟଣାରେ ଆତଙ୍କବାଦ ବିରୋଧୀ ଗ୍ରୀଡ(ଆଣ୍ଟି ଟେରୋରିଜିମ୍‌ ଗ୍ରୀଡ୍‌) ସମ୍ପୂର୍ଣ୍ଣ ଆକ୍ଟିଭ୍‌ ରହିଛି ବୋଲି ଉକ୍ତ ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି।

Share