ପାକିସ୍ତାନ ସରକାରଙ୍କ ବିରୋଧରେ ଇମ୍ରାନଙ୍କ ସାଂଘାତିକ ଅଭିଯୋଗ, କହିଲେ ପୋଲିସ ଗୁଳିରେ ଯାଇଛି ୨୫ଜୀବନ

ଇସଲାମବାଦ,୨୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଶାହାବାଜ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଇମ୍ରାନଙ୍କ ଘର ଚାରିପାଖେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଏହି ସମୟରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି, ‘ପୋଲିସର ଗୁଳିମାଡରେ ଅତି କମ୍‌ରେ ୨୫ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଶହ ଶହ ଲୋକ ଗୁରୁତର ଆହତ ହୋଇଛନ୍ତି। ସରକାର ଏହାର ଯାଞ୍ଚ କରିବା ଉଚିତ୍‌’।

ଇମ୍ରାନ କହିଛନ୍ତି, ‘ଫ୍ରାନ୍ସରେ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଥିଲେ ମଧ୍ୟ ପୋଲିସ ଥରେ ମଧ୍ୟ ଗୁଳି ଚଳାଇ ନ ଥିଲା। ତେବେ ପାକିସ୍ତାନରେ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁ ଏପର୍ଯ୍ୟନ୍ତ ୬୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତାହତ ଏବଂ ଆହତଙ୍କ ସଂଖ୍ୟା ଯାଞ୍ଚ ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ବତନ୍ତ୍ର କମିଟି ଗଠନ କରାଯାଇ ନାହିଁ।

ସୂଚନାଯୋଗ୍ୟ, ପାକିସ୍ଥାନ ସେନାର ଅଭିଯୋଗ ଅନୁସାରେ ଇମ୍ରାନଙ୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ଲୁଚି ରହିଛନ୍ତି। ଏନେଇ ଆତଙ୍କବାଦୀଙ୍କୁ ୨୪ଘଣ୍ଟା ମଧ୍ୟରେ ଆତ୍ମ ସମର୍ପଣ କରିବାକୁ ପଞ୍ଜାବ ପୋଲିସ ନିର୍ଦ୍ଦେଶ ଦେଇଛି।

Share