ବେଙ୍ଗାଲୁରୁ, ୨୭।୧ : କର୍ନାଟକରେ ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଉଛି। ଏସବୁ ଧାର୍ମିକସ୍ଥଳ ଉପରେ ଲଊଗାତାର ଆକ୍ରମଣ ବୃଦ୍ଧି ପାଉଛି। ଏନେଇ ୩୭ ଜଣ ବୈଜ୍ଞାନିକ, ପରିବେଶ୍ବିତ୍, କଳାକାର ଏବଂ ଲେଖକ ରାଜ୍ୟ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କୁ ଚିଠି ଲେଖିଛନ୍ତି। ଏହା ଦ୍ୱାରା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟିହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।
ଏହି ଚିଠିରେ ଐତିହାସିକ ରାମଚନ୍ଦ୍ର ଗୁହା, ପରିବେଶବିତ୍ ନାଗେଶ ହେଗଡେ, ଆଲମିତ୍ରା ପଟେଲ, ସମାଜବିଜ୍ଞାନୀ ଏ.ଆର୍. ଓ୍ବସାଲି ଏବଂ ପ୍ରଫେସର ସତୀଶ ଦେଶପାଣ୍ଡେ ପ୍ରମୁଖ ଦସ୍ତଖତ କରିଛନ୍ତି। ଏହା ବ୍ୟତୀତ ବୈଜ୍ଞାନିକ ପ୍ରଫେସର ଶରଦାଚନ୍ଦ୍ର ଲେଲେ, ପ୍ରଫେସର ବିନୋଦ ଗୌର ଏବଂ ପ୍ରଫେସର ଓ୍ବିଦାନନ୍ଦ-ନାନଜୁନଦିଆ, ଲେଖକ ବିବେକ ଶାନବାଗ, ପୁରୋଷୋତ୍ତମ ବିଲିମେଲ ,କେପି ସୁରେଶ, ବେଜୱାଡା ୱିଲସନଙ୍କ ସହ ବହୁ ଖ୍ୟାତି ସମ୍ପନ୍ନ ବ୍ୟକ୍ତିମାନେ ଦସ୍ତଖତ କରିଛନ୍ତି।
ଏହି ବ୍ୟକ୍ତିମାନେ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ରାଜ୍ୟର କେତେକ ଜିଲାରେ ନିର୍ମମ ହତ୍ୟାକାଣ୍ଡ ଘଟିଛି। ସେହିପରି ଅଳ୍ପସଂଖ୍ୟକଙ୍କ ସମ୍ପ୍ରଦାୟର ଧାର୍ମିକ ସ୍ଥାନ ଉପରେ ଧମକ ଓ ଆକ୍ରମଣ ବୃଦ୍ଧି ପାଇଛି। ଏହା ସହିତ, ଘୃଣା ବିବୃତ୍ତି ମଧ୍ୟ ପ୍ରାୟତଃ ପ୍ରଦାନ କରାଯାଉଛି। ଏହାଦ୍ୱାରା ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି।
ଏହି ଲୋକମାନେ କହିଛନ୍ତି ଯେ କେତେକ ବିଧାୟକଙ୍କ ଦ୍ୱାରା ଅସାମ୍ବିଧାନିକ ବିବୃତ୍ତି ଯୋଗୁ ସାମାଜିକ ବିରୋଧୀ ଗୋଷ୍ଠୀର ମନୋବଳ ମଧ୍ୟ ବୃଦ୍ଧି ପାଇଛି।
ଯେଉଁମାନେ ଏହି ଚିଠିରେ ଦସ୍ତଖତ କରିଛନ୍ତି ସେମାନେ କହିଛନ୍ତି ଯେ କର୍ନାଟକର ଇତିହାସ ସବୁବେଳେ ବିକାଶର ଇତିହାସ ରହି ଆସିଛି। ଏଭଳି ଘଟଣା ରାଜ୍ୟର ପରିଚୟ ପାଇଁ ଭଲ ନୁହେଁ। ସେମାନେ କହିଛନ୍ତି ଯେ ଏଭଳି ଘଟଣା ଦ୍ୱାରା କର୍ନାଟକ ଶକ୍ତି ହରାଉଛି। ଏଭଳି ଘଟଣା ଦ୍ୱାରା କର୍ନାଟକର ଧର୍ମନିରପେକ୍ଷତା ପରିଚୟ ଉପରେ ପ୍ରଶ୍ନ ଚିହ୍ନ ଲାଗୁଛି।