‘ବିଦ୍ୟୁତ୍‌ ଘରୋଇକରଣ ବନ୍ଦ ନ ହେଲେ ଶୁଳ୍କ ବଢ଼ିବ’

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ନେସ୍‌କୋ, ଓ୍ବେସ୍‌କୋ ଏବଂ ସାଉଥ୍‌କୋର ପରିଚାଳନା ଭାର ରିଲାଏନ୍ସ ଏନର୍ଜୀକୁ ଦେଇ ଯେଉଁ କ୍ଷତି ସହିଛନ୍ତି, ତାକୁ ପର୍ଯ୍ୟାୟକ୍ରମେ ଗ୍ରୀଡ୍‌କୋ ଜରିଆରେ ଶୁଳ୍କ ବୃଦ୍ଧି କରି ଗ୍ରାହକଙ୍କଠାରୁ ଆଦାୟ କରିବା ଆରମ୍ଭ କରିଛନ୍ତି। ୨୦୨୦-୨୧ ବର୍ଷ ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍‌ ଶୁଳ୍କ କମାଇବା ସହିତ ବିଭିନ୍ନ ବର୍ଗର ଗ୍ରାହକଙ୍କୁ ମାଗଣା ବିଦ୍ୟୁତ୍‌ ଦେଉଛନ୍ତି। ଏପରିକି କୋଟି କୋଟି ଟଙ୍କା ସବ୍‌ସିଡି ଦେଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ସାହାଯ୍ୟ କରୁଥିବା ବେଳେ ଓଡ଼ିଶା ସରକାର ନିଜ କମ୍ପାନୀ ଗ୍ରୀଡ୍‌କୋ, ଜଳ ବିଦ୍ୟୁତ୍‌ ନିଗମ, ଓପିଜିସି ଇତ୍ୟାଦିର ୨୦୨୧-୨୨ ବର୍ଷ ପାଇଁ ବିଦ୍ୟୁତ୍‌ ଦର ବୃଦ୍ଧି କରିବାକୁ ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି)ଙ୍କ ନିକଟରେ ପ୍ରସ୍ତାବ ଦେଇଛନ୍ତି । ଘରୋଇକରଣ ବନ୍ଦ ନ ହେଲେ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‌ ଶୁଳ୍କର ଚାପ ବଢ଼ିବା ସହିତ ଶୁଳ୍କ ବଢ଼ି ବଢ଼ି ଚାଲିବ। ଗ୍ରୀଡ୍‌କୋ ଏବଂ ବିଦ୍ୟୁତ୍‌ ବିତରଣ କମ୍ପାନୀର ଅପାରଗତାକୁ ଘୋଡ଼ାଇବାକୁ ଯାଇ ଓଇଆରସି ଟାଟା ପାଓ୍ବାରକୁ ଏକଚାଟିଆ ବ୍ୟବସାୟ କରିବାକୁ ସୁଯୋଗ ଦେବା ସହ ଘରୋଇ କମ୍ପାନୀକୁ ସୁହାଇଲା ଭଳି ଗ୍ରାହକଙ୍କ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଏପରି କଲେ ପ୍ରବଳ ଜନଅସନ୍ତୋଷ ଦେଖାଦେବ ବୋଲି ବିଦ୍ୟୁତ୍‌ ଶ୍ରମିକ, କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରମେଶ ଶତପଥୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ଓଏସ୍‌ସିବି କର୍ମଚାରୀ ଫେଡେରେଶନର ସାଧାରଣ ସମ୍ପାଦକ ଯତୀନ୍ଦ୍ର ରାୟ, ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ, ସଭାପତି ପ୍ରଶାନ୍ତ ମହାପାତ୍ର, ପଶ୍ଚିମ ଓଡ଼ିିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଲଳିତ ପଟ୍ଟନାୟକ, ସମ୍ପାଦକ ପ୍ରଣୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଷଲ।

Share