ଜବରଦଖଲକାରୀଙ୍କ କବ୍‌ଜାରେ ତାରପୁର ବାଇପାସ ରୋଡ୍‌

ରଘୁନାଥପୁର,୧୪।୧୧(ଡି.ଏନ୍‌.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥର ତାରପୁର ବାଇପାସ୍‌ ରୋଡ୍‌କୁ କେତେଜଣ ସ୍ଥାନୀୟ ବ୍ୟବସାୟୀ ମାଡ଼ିବସି ଜବରଦଖଲରେ ରଖିଛନ୍ତି। ଫଳରେ ପଥଚାରୀମାନେ ଯାତାୟାତ ସମୟରେ ଅସୁବିଧା ଭୋଗୁଛନ୍ତି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହି ରାସ୍ତାରେ ବର୍ଷେ ହେବ ଜଣେ ବ୍ୟବସାୟୀ ବାଲି ଗଦାକରି ରଖିଥିବାରୁ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ଏହାଛଡ଼ା ବିଭିନ୍ନ ଦୋକାନକୁ ସଉଦାପତ୍ର କିଣିବା ପାଇଁ ଆସୁଥିବା ବ୍ୟକ୍ତି ବାଇକ୍‌ ଓ କାର ପାର୍କିଂ ପାଇଁ ସ୍ଥାନ ନ ପାଇ ରୋଡ୍‌ ଉପରେ ରଖୁଛନ୍ତି। ଅନେକ ସମୟରେ ଭାରିଯାନ ଚାଳକମାନେ ପାରାଦୀପ ପଟୁ ଆସି ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ନେଉଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି। ଶନିବାର ଜଣେ ହାଇୱା ଚାଳକ ରଙ୍ଗ ସାଇଡ୍‌ରେ ଗାଡ଼ି ନେଇ ଯିବାରୁ ଦୁଇ ବାଇକ୍‌ ଆରୋହୀ ଦୁର୍ଘଟଣାର ଶିକାର ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାଇକ୍‌ ଉପରେ ଗାଡ଼ି ଚଢ଼ିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଜବରଦଖଲକାରୀ ସରକାରୀ ରାସ୍ତାକୁ ଅବରୋଧ କରିଚାଲିଛନ୍ତି। ଆର୍‌ଆଣ୍ଡବି ବିଭାଗ ପକ୍ଷରୁ ସରକାରୀ ରାସ୍ତା ଅବରୋଧକୁ ହଟାଇବା ପାଇଁ କୁହାଯାଇଥିଲେ ସୁଦ୍ଧା ସ୍ଥାନୀୟ ବ୍ୟବସାୟୀମାନେ କର୍ଣ୍ଣପାତ କରୁନାହାନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗ ପକ୍ଷରୁ ତହସିଲଦାରଙ୍କୁ ଅବଗତ କରାଯାଇଛି ବୋଲି ଯନ୍ତ୍ରୀ ବିନୟ କୁମାର ସାହୁ ପ୍ରକାଶ କରିଛନ୍ତି। ବାଇପାସ୍‌ ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ବ୍ୟବସ୍ଥା କରିବା ସହ ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।