୯ ଥର ମହାଦେବଙ୍କ ଭୂମିକାରେ ନଜର ଆସିଛନ୍ତି ଏହି ଅଭିନେତା

ବମ୍ବେ: କଳାକାରଟିଏ ପ୍ରତିଟି ଚରିତ୍ରକୁ ବାସ୍ତବତାର ରୂପ ଦେବାକୁ ଯଥାସମ୍ଭବ ଚେଷ୍ଟା କରିଥାଏ। ସେଥିପାଇଁ ତ ଦିନେ ସେହି ଚରିତ୍ର ତାର ପରିଚୟ ପାଲଟିଯାଏ। ସେଭଳି ଅଭିନେତା ହେଲେ ମୋହିତ ରାଇନା, ତରୁଣ ଖନ୍ନା। ଉଭୟ ସମାନ ଚରିତ୍ର ପାଇଁ ଲୋକପ୍ରିୟ। ପ୍ରଶଂସକମାନେ ଶିବ ବୋଲି ସେମାନଙ୍କୁ ଭାବିଥାନ୍ତି। ମୋହିତ ଥରୁଟିଏ ଶିବଙ୍କ ଭୂମିକା ତୁଲାଇଥିଲେ। ହେଲେ ପରେ ସେ ଏହାକୁ କରିବାକୁ ମନା କରିଦେଇଥିଲେ। କାରଣ ସେ ଡରୁଥିଲେ। ତାଙ୍କ ଅବସ୍ଥା ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ଭଳି ନ ହେଉ ବୋଲି ସେ ଚାହୁଁଥିଲେ। ହେଲେ ତରୁଣଙ୍କ କାହାଣୀ ଭିନ୍ନ।

ତରୁଣ ଛୋଟ ପରଦାରେ ଆଠରୁ ଅଧିକ ଥର ମହାଦେବଙ୍କ ଭୂମିକାରେ ନଜର ଆସିଛନ୍ତି। ପ୍ରଥମ ଥର ପାଇଁ ସେ ‘ସନ୍ତୋଷୀ ମା’ ଧାରାବାହିକରେ ଶିବ ହୋଇଥିଲେ। ଏହାପରେ ସେ ‘କର୍ମଫଳ ଦାତା ଶନି, ପରମାବତାର ଶ୍ରୀ କୃଷ୍ଣ, ରାଧା କୃଷ୍ଣ, ଦେବି ଆଦି ପରାଶକ୍ତି, ନମଃ, ‘ରାମ ସିୟା କେ ଲବକୁଶ’ରେ ସମାନ ଭୂମିକାରେ ନଜର ଆସିଥିଲେ। ଏବେ ମଧ୍ୟ ସେ ଷ୍ଟାର ଭାରତର ଧାରାବାହିକ ‘ଜୟ କହ୍ନୈୟା ଲାଲ କି’ରେ ଭଗବାନ ଶିବଙ୍କ ଭୂମିକାରେ ନଜର ଆସୁଛନ୍ତି।

ତରୁଣ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଧାରାବାହିକ ‘ଅବିନାଶ ଆଇପିଏସ୍‌’ ଜରିଆରେ ଡେବ୍ୟୁ କରିଥିଲେ। ୨୦୧୪ରେ ସେ ସ୍ମୃତି ଖନ୍ନାଙ୍କୁ ବିବାହ କରିଥିଲେ। ସେ ‘ମିଶନ ଜୁଲାଇ ଏବଂ ଢ଼ିଶୁମ୍‌’ ଆଦି ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଅନେକ ପଞ୍ଜାବୀ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି। ଦେଖିବାକୁ ଗଲେ ଟେଲି ପରଦାର ସେ ଏକ ଜଣାଶୁଣା ନାମ। ହେଲେ ଯେଉଁ ପରିଚୟ ତାଙ୍କୁ ମହାଦେବ ଚରିତ୍ରରୁ ମିଳିଛି ତାହା ଅନ୍ୟ କେଉଁ ଚରିତ୍ରରୁ ମିଳିନାହିଁ ବୋଲି ସେ ନିଜେ ସ୍ବୀକାର କରନ୍ତି।

Share