ଜୀବିକା ଦେଉଛି ଟସର ଚାଷ

କେନ୍ଦୁଝର, ୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର ଧଳାଡିହି ଗ୍ରାମର ମମତା ନାଏକ (୩୬) ଜଣେ ଭୂମିହୀନ ଗରିବ ମହିଳା। ତେବେ ଦିନ ମଜୁରୀ କରି ବହୁ କଷ୍ଟରେ ଚଳୁଥିଲେ। ଜଙ୍ଗଲରୁ ଟସର ସଂଗ୍ରହ କରି ଆସୁଥିବା ମମତାଙ୍କୁ ପ୍ରଶାସନ ସାହା ହେଲେ। ଏଥିପାଇଁ ତହସିଲ ପକ୍ଷରୁ ତାଙ୍କୁ ଅଢେଇ ଏକର ଜମି ମିଳିଲା। ଜିଲା ଖଣିଜ ଫାଉଣ୍ଡେଶନ ପାଣ୍ଠିରୁ ସହାୟତା ପାଇ ସେ ଅର୍ଜୁନ ଓ ଅସନ ଚାଷ ଆରମ୍ଭ କରିଥିଲେ। ୨୦୨୧ ମସିହାରେ ଉକ୍ତ ଜମିରେ ୧୮୫୨ ଗଛ ଲଗାଇଥିଲେ। ଏହାର ରକ୍ଷଣାବେକ୍ଷଣ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରୋଜଗାରକ୍ଷମ ହୋଇଥିବାବେଳେ ଏହି ଗଛ ମଧ୍ୟରେ ଡିଏମ୍‌ଏଫ୍‌ ଓ ଟିଡିଏଫ୍‌ର ସହାୟତାରେ ବିଭିନ୍ନ ପ୍ରକାରର ଚାଷ କରି ରୋଜଗାର କରୁଛନ୍ତି ।

ଏଭଳି ଜିଲାର ବହୁ ଆଦିବାସୀ ଓ ଭୂମିହୀନ ଚାଷୀ ମାନେ ଟସର ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ଡିଏମ୍‌ଏଫ୍‌ ସହାୟତାରେ ଟସର ପାଇଁ ବନୀକରଣ, ନର୍ସରୀ ପ୍ରତିଷ୍ଠା, କୋଷା ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା ଆଦି କରାଯାଇଛି । ଜିଲାରେ ପାଖାପାଖି ୬,୬୦୦ ଚାଷୀ ଟସର ସିଲ୍କ ପ୍ରୋତ୍ସାହନ ପାଇ ଜୀବିକା ନିର୍ବାହ କରୁଛନ୍ତି ବୋଲି ଜଣାପଡିଛି । ଟସର ପାଇଁ ଅସନ ଓ ଅର୍ଜୁନ ଗଛ ପାଖାପାଖି ୬୦୦ ହେକ୍ଟର ଅଞ୍ଚଳରେ ଲଗାଯାଇଛି।

ଟସରକୁ ସଂଗ୍ରହ କରି ସେଥିରୁ ସୂତା କାଟି ବିଭିନ୍ନ ପ୍ରକାରର ଲୁଗା ପ୍ରସ୍ତୁତ ହୋଇଥାଏ। ଯାହାର ଚାହିଦା ଦେଶ ଓ ବିଦେଶରେ ରହିଛି। ଆଜିକାଲିର ଫ୍ୟାଶନ ଡିଜାଇନରେ ଏହାର ଭୂମିକା ଗୁରୁତ୍ୱପୂର୍ଣ ରହିଛି। ଏଣୁ ଡିଏମ୍‌ଏଫ୍‌ ଓ ମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହି ଚାଷକୁ ପ୍ରଧାନ୍ୟ ଦିଆଯାଇ ଏହାର ବିକାଶ କରାଯାଉଛି। ଏଥିପାଇଁ ଦୁଇଟି ମେଗା ନର୍ସରୀ ବାଂଶପାାଳ ଓ ହରିଚନ୍ଦନପୁରରେ କରାଯିବା ବୋଲି ସୂଚନା ମିଳିଛି। ଏହି ଚାଷକୁ ବ୍ୟାପକ କରିବା ପାଇଁ ଅଧିକ ବିହନ ଉତ୍ପାଦନ କେନ୍ଦ୍ର ଓ ରୋଗ ନିରାକରଣ କେନ୍ଦ୍ର ନିର୍ମାଣ କରାଯାଉଛି। ଟସର ସିଲ୍କ ଚାଷକୁ ପ୍ରୋତ୍ସାହନ ଦ୍ୱାରା ଖଣି ପ୍ରଭାବିତ ଅଞ୍ଚଳରେ ଟସର ଉପଯୋଗୀ ଅର୍ଜୁନ ଓ ଅସନ ଗଛ ବନୀକରଣ କରି ଜୀବନଜୀବିକାର ବିକାଶ, ଏହା ଦ୍ୱାରା ଲୋକଙ୍କ ରୋଜଗାର ବୃଦ୍ଧି କରି ଦାରିଦ୍ର୍ୟତା ହ୍ରାସ କରିବା, ଅବ୍ୟବହୃତ ରାଜସ୍ବ ଜମି ଗୁଡିକରେ ବନୀକରଣ କରିବା, ଏହା ଦ୍ୱାରା ସ୍ଥାନୀୟ ପ୍ରାକୃତିକ ପରିବେଶ ସୁରକ୍ଷା କରିବାସହ ଲୋକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାର ଉନ୍ନତି କରିବା ଆଦି ସାଧିତ ହୋଇ ପାରିବ ବୋଲି ମତପ୍ରକାଶ ପାଉଛି। ଏହାକୁ ଅଧିକ ସୃଦୃଢ ଓ ବ୍ୟାପକ କରିବା ପାଇଁ ଟସର ବିକାଶ ସମିତି ଓ ଟିଆରସିଏସ ଆଦି ପ୍ରତିଷ୍ଠା କରାଯାଉଛି ବୋଲି ସୂଚନା ଦିଆଯାଇଛି।

Share