Posted inଫୁରସତ

ଓଡ଼ିଶାର ଟସର

ଫ୍ୟାଶନ ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ରଖୁଥିବା ଟସର୍‌ ପାଇଁ ଓଡ଼ିଶାର ରହିଛି ବେଶ୍‌ ନାଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ଚାଷ କରାଯାଉଥିବାବେଳେ ଏହାଦ୍ୱାରା ଉଭୟ ଚାଷୀ ଓ ବ୍ୟବସାୟୀ ଉପକୃତ ହେଇପାରୁଛନ୍ତି…

ଶାଢି ହେଉ ବା ପୋଷାକ ଟସର୍‌ର ରହିଛି ଏକ ସ୍ବତନ୍ତ୍ର ମର୍ଯ୍ୟାଦା। ଖାଲି ଆମ ରାଜ୍ୟରେ ନୁହେଁ ଦେଶ ବିଦେଶର ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ବି ଏହାର ଆଦୃତି ବହୁତ। ବିଭିନ୍ନ ଜାଗାରେ ଟସର୍‌ର ଉତ୍ପାଦନ ହେଉଥିଲେ ବି ଓଡ଼ିଶା ଟସର୍‌ର ଦେଶ ବିଦେଶରେ ଭିନ୍ନ ପରିଚୟ ରହିଛି। ତେବେ ସୁନ୍ଦରଗଡ଼ ଜିଲା ରାଜ୍ୟରେ ଟସର ଉତ୍ପାଦନ ପାଇଁ ତୃତୀୟ ସ୍ଥାନରେ ରହିଥିବାବେଳେ ମାନଯୁକ୍ତ ଟସର ଉତ୍ପାଦନରେ ଏହି ଜିଲା ପ୍ରଥମ। ଜିଲାର ପ୍ରାୟ ୫ଟି ବ୍ଲକରେ ବ୍ୟାପକ ଟସର ଚାଷ ହେଉଛି। ଏହା ଦ୍ୱାରା ଟସର ଖୋଷାରୁ ସୂତା ବାହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଜିଲା ପ୍ରଶାସନ ଉଦ୍ୟମରେ ପ୍ରୋତ୍ସାହନ ବି ମିଳୁଛି। ରେଶମ ଶିଳ୍ପ ସୁନ୍ଦରଗଡ଼ର ସହକାରୀ ନିର୍ଦ୍ଦେଶକ ନିରଞ୍ଜନ ମଲ୍ଲିକ କୁହନ୍ତି, ଉନ୍ନତ ମାନର ଟସର ଯୋଗୁ ଏହି ଜିଲାର ପ୍ରାୟ ୫ ଏକର ଜମିରେ ଏକ ସିଲ୍‌କ ପାର୍କ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଏଥିପାଇଁ ପ୍ରାୟ ୨୪କୋଟି ଟଙ୍କା ବିନିଯୋଗ କରାଯାଇଛି। ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗ ଦ୍ୱାରା ଏହି ପ୍ରକଳ୍ପକୁ ଅନୁମୋଦନ ପାଇଁ ପ୍ରସ୍ତୁତି ହୋଇଛି। ଏହା ରାଜ୍ୟର ୨ୟ ଟସର ସିଲ୍‌କ ପାର୍କ ଭାବେ ପ୍ରତିଷ୍ଠା ହେବ, ଯାହାକି ଆସନ୍ତା ୧-୨ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଜିଲାରେ ଥିବା ପ୍ରାୟ ୯ଟି ଟସର ଖଣିଜ ପ୍ରତିଷ୍ଠାନ ସମବାୟ ସମିତି-ଟିଆରସିଏସ୍‌କୁ ନେଇ ସିଲ୍‌କ ପାର୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜିଲାରେ ଥିବା ବଡ଼ଗଁା ଟସର ସମବାୟ ସମିତି , ବିଶ୍ରା ଟ.ସ.ସ.ରେ ପ୍ରାୟ ୧୫୦ ହେକ୍ଟର, ଖୁଣ୍ଟଗାଁରେ ପ୍ରାୟ ୧୦୦ ହେକ୍ଟର, ବଡ଼ଗଁାରେ ପ୍ରାୟ ୮୦ ହେକ୍ଟର, ଲହୁଣିପଡ଼ାରେ ପ୍ରାୟ ୧୦୦ ହେକ୍ଟର, ବିମଳାଗଡ଼ରେ ପ୍ରାୟ ୨୦-୩୦ ହେକ୍ଟର ଏବଂ ଦଲିକିରେ ୫୦ ହେକ୍ଟର ଜାଗାରେ ଟସର ଖୋଷା ଉତ୍ପାଦନ ହେଉଛି। କିନ୍ତୁ ଏହି ଜିଲାରେ ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଟସର ଚାଷୀ ଅଛନ୍ତି। ସେଥିମଧ୍ୟରୁ ୩୦୦୦ରୁ ଊର୍ଦ୍ଧ୍ୱ ବର୍ତ୍ତମାନ ସକ୍ରିୟ ଅଛନ୍ତି। ଚଳିତବର୍ଷ ଖୁଣ୍ଟଗାଁ ଟ.ସ.ସ.ରେ ୩୦ ହେକ୍ଟର, ଦଲିକି ୩୦ ହେକ୍ଟର, ସରସରାରେ ୨୦ ହେକ୍ଟରରେ ନୂଆ କରି ଅସନ, ଅର୍ଜୁନ ବୃକ୍ଷରୋପଣ କରାଯାଇଛି। ୨୦୨୦-୨୧ରେ ପ୍ରାୟ ୫,୪୨୫ କାହାଣ (୧କାହାଣ ପ୍ରାୟ୧୬ଶହ ଖୋଷା) ଖୋଷା ଉତ୍ପାଦନ ହୋଇପାରିଛି, ଯାହାର ମୂଲ୍ୟ ୨ କୋଟି ଟଙ୍କା ହେବ। ସେହିପରି ଚଳିତବର୍ଷରୁ ଖୋଷା ଉତ୍ପାଦନ ଚାଲୁ ରହିଛି। ଆନୁମାନିକ ପ୍ରାୟ ୫୮୦୦ କାହାଣ ଖୋଷା ଉତ୍ପାଦନ ହେବ, ଯାହାର ମୂଲ୍ୟ ୨ କୋଟି ହେବ। ଟସର ଚାଷୀଙ୍କ ସହ ଗ୍ରାମୀଣ ଉଦ୍ୟୋଗୀ ଓ ଅନ୍ୟମାନଙ୍କୁ ଏଥିରେ ଯୋଡ଼ାଯିବ। ଜିଲାର ବଣାଇ, କୋଇଡ଼ା, କିରେଇ, ଲହୁଣିପଡ଼ା, ବିଶ୍ରା ଓ ବଡ଼ଗଁା ବ୍ଲକରେ ବ୍ୟାପକ ଟସର ଚାଷ କରାଯାଉଛି। ଏହି କ୍ଷେତ୍ରରେ ପ୍ରାୟ ୩ ହଜାରରୁ ଅଧିକ ଚାଷୀ ଏଥିରେ ନିର୍ଭରଶୀଳ। କିନ୍ତୁ ଜିଲା ରେଶମ ନିର୍ଦ୍ଦେଶାଳୟ ଟିଆରସିଏସ୍‌ ମାଧ୍ୟମରେ ଟସର ଚାଷୀମାନଙ୍କୁ ବିହନ ଯୋଗାଇ ଦେବାଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇଦେଉଛି। ଚାଷୀମାନେ ଟିଆରସିଏସ୍‌ଠାରୁ ରୋଗମୁକ୍ତ ଅଣ୍ଡା ନେଇ ଚାଷ ଆରମ୍ଭ କରୁଛନ୍ତି। ଟସର ଖୋଷା ଉତ୍ପାଦନ ପରେ ତାହାକୁ ଟିଆରସିଏସ୍‌ଙ୍କୁ ବିକ୍ରି କରୁଛନ୍ତି। ସେହିପରି ଟିଆରସିଏସ୍‌ ରାଜ୍ୟ ସରକାରଙ୍କ ସଂସ୍ଥା ସେରିଫେଡ୍‌ କିଣିନେଇ ବିକ୍ରି କରିଥାଏ। ପାର୍କ ଆରମ୍ଭ ହେଲେ ସଏଲ ଟୁ ସିଲ୍‌କ ପରିକଳ୍ପନାର ବାସ୍ତବ ରୂପ ନେବ। ଚାଷୀମାନେ ଭଲ ଲାଭବାନ୍‌ ହୋଇପାରିବେ। ସାଧାରଣତଃ ଟସର ଚାଷରେ ଦୁଇଟି ପର୍ଯ୍ୟାୟରେ ବିହନ ପାଇଁ ଚାଷ ବା ସିଡ୍‌ କ୍ରପ କରାଯାଇଥାଏ। ଏହା ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କରାଯାଏ। ଏହି ଚାଷରୁ ବ୍ୟାପକ ପରିମାଣର ଅଣ୍ଡା ବା ବିହନ ଉତ୍ପାଦନ କରି ସେଥିରେ ବ୍ୟବସାୟିକ ଚାଷ ହୋଇଥାଏ। ନଭେମ୍ବର-ଡିସେମ୍ବର ମାସ ବେଳକୁ ବ୍ୟବସାୟିକ ଚାଷରୁ ଖୋଷା ଅମଳ ହୋଇଥାଏ। ଟସର ପୋକ ଅର୍ଜୁନ ଓ ଅସନ ଗଛର ପତ୍ର ଖାଇ ବଢ଼େ। ସୁନ୍ଦରଗଡ଼ ଜିଲାରେ ପ୍ରାକୃତିକ ଉପାୟରେ ତଥା ବନୀକରଣ ମାଧ୍ୟମରେ ଏହା ସୃଷ୍ଟି ହୋଇଛି। ୧୭୦୦ ହେକ୍ଟରରୁ ଅଧିକ ଅସନ ଗଛର ଜଙ୍ଗଲ। ଏହି ଜଙ୍ଗଲରେ ଥିବା ଗଛଗୁଡ଼ିକରୁ ଟିଆରସିଏସ୍‌ ମାଧ୍ୟମରେ ଚାଷୀଙ୍କ ଭିତରେ ବାଣ୍ଟି ଦିଆଯାଇଛି। ଚାଷୀମାନେ ଟସର ପୋକରୁ ପୁଣି ଖୋଷା ହେଲା ପର୍ଯ୍ୟନ୍ତ ତାହାର ରକ୍ଷଣାବେକ୍ଷଣ କରିଥା’ନ୍ତି। ଏହି ଚାଷରୁ ଚାଷୀମାନେ ଭଲ ଦି’ ପଇସା ରୋଜଗାର କରୁଛନ୍ତି। ଅନ୍ୟପକ୍ଷେ କେତେକ ଚାଷୀ ଟସର ଚାଷ ସହିତ ଧାନ ଏବଂ ପନିପରିବା ଚାଷ କରଥା’ନ୍ତି। କିନ୍ତୁ ଟସରରୁ ଅଧିକ ରୋଜଗାର ମିଳିଥାଏ। ବର୍ଷକୁ ଦୁଇଥର ଏହି ଚାଷରୁ ଚାଷୀ ଉପକୃତ ହୋଇଥା’ନ୍ତି।
ଆଗରେ ମହିଳା ଚାଷୀ-ମହିଳା ସଶକ୍ତୀକରଣ ଯୋଜନା ମାଧ୍ୟମରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ମହିଳା ଚାଷୀଙ୍କୁ ଏଥିପ୍ରତି ସହାୟତା ଯୋଗାଇ ଦିଆଯାଇଛି। ଫଳରେ ସେମାନେ ଏହି ଚାଷ କରି ଆର୍ଥିକ ଭାବେ ସଶକ୍ତ ହୋଇପାରୁଛନ୍ତି। ବଣାଇ ଲହୁଣିପଡ଼ା ବ୍ଲକରେ ୧୭୦୦ରୁ ଅଧିକ ମହିଳା ଟସର ଚାଷୀ ଅଛନ୍ତି। ସେମାନଙ୍କୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟ ଗଠନ କରାଯାଇଛି। ଟିଆରସିଏସ୍‌ ମାଧ୍ୟମରେ ୫ ବର୍ଷ ହେଲା ସେମାନେ ଟସର ଚାଷ କରୁଛନ୍ତି। ପ୍ରତିବର୍ଷ ଭଲ ରୋଜଗାର ମିଳିପାରୁଛି। ଏହି ଜିଲାରେ ଉନ୍ନତ ମାନର ଟସର ମିଳୁଛି। ଏଥିଯୋଗୁ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଟସର ଚାଷ ଓ ଟସର ଲୁଗା ଉତ୍ପାଦନର ଅନେକ ସୁଯୋଗ ଅଛି। ଏହା ଦ୍ୱାରା ଏଠାରେ ଲୋକମାନେ ଅଧିକ ଆୟ କରି ଏହି ଟସରକୁ ଅନ୍‌ଲାଇନରେ ବିକ୍ରି କରିଥାନ୍ତିି। ଅତ୍ୟାଧୁନିକ ଟସର ସିଲ୍‌କ ପାର୍କରେ ନର୍ସରୀ, ଗୋଦାମଘର, ତାଲିମକେନ୍ଦ୍ର, ଡିଜାଇନ ଓ ଉତ୍ପାଦନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା କରାଯିବାର ପଦକ୍ଷେପ ନିଆଯାଇଛି।
ମୟୂରଭଞ୍ଜ ଜିଲାରେ ଟସର- ମୟୂରଭଞ୍ଜ ଜିଲା ଅନ୍ତର୍ଗତ ସାରସକଣା ବ୍ଲକ ଅଧୀନ ଦାନଦର ଗ୍ରାମର ଟସର ଚାଷୀ ମୁକୁନ୍ଦ ନାଏକ କୁହନ୍ତି, ଏହି ଜିଲାରେ ବିଶେଷକରି ପ୍ରାୟ ୫୦୦ ବର୍ଷ ଧରି ଟସର ଚାଷ ଜାରି ରହିଛି। ବର୍ଷକୁ ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ଟଙ୍କାର ଟସର ଉତ୍ପାଦନ ହୋଇପାରୁଛି। ପ୍ରତ୍ୟେକ ଚାଷୀ ଲକ୍ଷାଧିକ ଟଙ୍କାର ଲାଭ ପାଇଥାନ୍ତି। ଜାମୁକୁଣ୍ଡା ଗ୍ରାମର ଚାଷୀ ମହେନ୍ଦ୍ର ସିଂ କହନ୍ତି, ଅମଳ ଅନୁସାରେ ବିକ୍ରି ପାଇଁ ଏଠାରେ ବଜାର ବ୍ୟବସ୍ଥା ନ ଥିବା ବେଳେ ପଡୋଶୀ ରାଜ୍ୟରେ ବିକ୍ରି କରିବାକୁ ପଡୁଛି। ଏହି ଜିଲାର ୨୧ଟି ସ୍ଥାନରେ ଟସର ଚାଷୀ ସମବାୟ ସମିତି ରହଛି। ପ୍ରାୟ ୭ ହଜାରରୁ ଅଧିକ ଚାଷୀ ଏହି ଚାଷ ଦ୍ୱାରା ଲାଭବାନ ହୋଇ ପାରୁଛନ୍ତି। ଜିଲାରେ ଏକ ଟସର ଶିଳ୍ପ ପ୍ରତିଷ୍ଠା କରାଗଲେ ଚାଷୀମାନଙ୍କ ଏଥିପ୍ରତି ଅଧିକ ଆଗ୍ରହ ବଢ଼ିବା ସହିତ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇପାରିବ। କିନ୍ତୁ ଏହି ଚାଷ ମାଧ୍ୟମରେ ଅନେକ ପରିବାରରେ କୁଟୀର ଶିଳ୍ପ ସୃଷ୍ଟି ହୋଇପାରିବ। ଅନ୍ୟପକ୍ଷେ ଏହି ଚାଷ ଦ୍ବାରା ଜଙ୍ଗଲ ସୃଷ୍ଟି ହେବା ସହିତ ଅନେକ ଲୋକଙ୍କ ପାଇଁ ଜାଳେଣି କାଠର ଆବଶ୍ୟକତା ପୂରଣ ହୋଇପାରିବ।
ବିଭିନ୍ନ ପ୍ରକାରର ରେଶମ: ରେଶମ ମୁଖ୍ୟତଃ ୪ ପ୍ରକାରର। ସେଗୁଡ଼ିକ ହେଲା ତୁତ ରେଶମ, ମୁଗା ରେସମ,ଏଣ୍ଡିରେଶମ ଓ ଟସର ରେଶମ। ଓଡ଼ିଶା ଟସର ରେଶମ ପାଇଁ ପ୍ରସିଦ୍ଧ। କିନ୍ତୁ ଶିମିଳିପାଳ ଜୈବମଣ୍ଡଳୀୟ ରେଶମ ପୃଥିବୀ ପ୍ରସିଦ୍ଧ। ରେଶମ ପୋକ ତିଆରି କରୁଥିବା ଛୋଟ ଅଣ୍ଡା ପରି ଖୋଷାରୁ ରେଶମ ସୂତା ସଂଗ୍ରହ କରି ରେଶମ ଲୁଗା ବା ପୋଷାକ ପ୍ରସ୍ତୁତ କରାଯାଇଥାଏ। ଆମେ ଯେତେ ପ୍ରକାରର ପ୍ରାକୃତିକ ତନ୍ତୁରୁ ପୋଷାକ ତିଆରି କରୁ, ସେଥିମଧ୍ୟରୁ ରେଶମ ତନ୍ତୁ ସବୁଠାରୁ ମୂଲ୍ୟବାନ୍‌। ଏହାର ସଂଗ୍ରହ ଓ ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ବ୍ୟୟସାପେକ୍ଷ। ଯେତେ ରେଶମ ଖୋଷା ମଧ୍ୟରୁ ଟସର ରେଶମ ଖୋଷା ସବୁଠାରୁ ବଡ଼।
ଖୋଷା- ଗୋଟିଏ ଗୋଟିଏ ଟସର ରେଶମ ଖୋଷାରୁ ପ୍ରାୟ ୭୦୦-୮୦୦ ମିଟରରୁ ଆରମ୍ଭ କରି ୧୨୦୦-୧୪୦୦ ମିଟର ପର୍ଯ୍ୟନ୍ତ ସୂତା ମିଳିଥାଏ। ଟସର ରେଶମ ଚାଷ ଜଙ୍ଗଲରେ କରାଯାଇଥାଏ। ଯେଉଁ ଜଙ୍ଗଲରେ ଟସର ପୋକ ଗଛରପତ୍ର ଖାଇ ବଞ୍ଚତ୍ ପାରୁଥିବାର ସୁବିଧାଥାଏ। ସେହି ଜଙ୍ଗଲରେ ଟସର ଚାଷ କରାଯାଏ। ଟସର ପୋକ ଅନେକ ପ୍ରକାର ଗଛର ପତ୍ର ଖାଇଥାଏ। ସେଗୁଡ଼ିକ ହେଉଛି ଶାଳ, ଅସନ, ଅର୍ଜୁନ, ସିଦ୍ଧ, ଧ ଓ ବରକୋଳି ଇତ୍ୟାଦି। ବିଶେଷକରି ଅସନ ଓ ଅର୍ଜୁନ ଗଛ ପାଇଁ ସରକାରୀସ୍ତରରେ ଚାଷୀମାନଙ୍କୁ ପ୍ରୋତ୍ସାହନ, ସହଯୋଗ ତଥା ବୈଷୟିକ ସହାୟତା ଦେଇଥା’ନ୍ତି। ଗଛଗୁଡ଼ିକରେ ପତ୍ରଥିବା ସମୟରେ ଟସର ପୋକର ପ୍ରଥମ ଲାର୍ଭା ଆଣି ଗଛଗୁଡ଼ିକରେ ଛାଡ଼ି ଦିଆଯାଇଥାଏ। ଏହି ଟିକିଟିକି ଲାର୍ଭା ଗଛଗୁଡ଼ିକ ପତ୍ରଖାଇ ବଡ଼ ହୋଇଯାଆନ୍ତି। ଏପରି ବଡ଼ ହେବା ସମୟରେ ଏମାନଙ୍କ ଦେହରୁ ଚାରିଥର ଚୋପା ଛାଡ଼ିଥାଏ। ଏମିତିରେ ଲାର୍ଭା ଚାରୋଟି ଅବସ୍ଥା ଅତିକ୍ରମ କରି ପଞ୍ଚମ ଅବସ୍ଥାରେ ପହଞ୍ଚେ। ଏତେବେଳେ ଏ ଲାର୍ଭା ବେଶ ବଡ଼ ହୋଇଯାଇଥାଏ। ଏହି ଲାର୍ଭା ତା’ ପରେ ପାଟିରୁ ଲାଳ ଝରାଇ ତା’ ଚାରିପଟେ ଏକ ଖୋଷା ତିଆରି କରେ। ତା’ ଭିତରେ ସେହି ଲାର୍ଭା ବେଶ ବଡ଼ ହୋଇଯାଇଥାଏ। ଆଉ ଗଛରେ ପତ୍ର ମଧ୍ୟ ଲଣ୍ଡା ହୋଇ ଯାଇଥାଏ। ଏହାକୁ ପ୍ୟୁପା କୁହାଯାଏ। ପ୍ରାୟ ଦୁଇମାସ ପରେ ଏ ଖୋଷା ମଧ୍ୟରୁ ମଥ୍‌ ଅଣ୍ଡା ଦେବାକୁ ଲାଗେ। ତା’ପରେ ଅଣ୍ଡାଗୁଡ଼ିକ ଶାଗୁଦାନାଠାରୁ ସାମାନ୍ୟ ବଡ଼। ମେଞ୍ଚା ମେଞ୍ଚା କରି ଏମାନେ ଅଣ୍ଡା ଦିଅନ୍ତି। ଏ ଅଣ୍ଡାଗୁଡ଼ିକ ଏକ କୋଠରି ମାଟିପାତ୍ର ମଧ୍ୟରେ ସଂଗ୍ରହ କରାଯାଏ। ଅଣ୍ଡାଗୁଡ଼ିକ ଫୁଟିଯିବା ପରେ ପୁଣି ଲାର୍ଭା ବାହାରନ୍ତି। ଲାର୍ଭାଗୁଡ଼ିକୁ ପୂର୍ବପରି ଗଛରେ ଛଡ଼ାଯାଏ। ଏପରି ଭାବେ ଟସର ପୋକର ଜୀବନ ଚାରୋଟି ଅବସ୍ଥା ଦେଇ ଗତିକରେ। ଏହା ଅଣ୍ଡା, ଲାର୍ଭା, ପ୍ୟୁପା ଓ ପୂର୍ଣ୍ଣଙ୍ଗ ମଥ୍‌, ଯେଉଁ ଖୋଷାଗୁଡ଼ିକରୁ ସୂତା ବାହାର କରାଯାଇ ପୋଷାକପତ୍ର ପାଇଁ ସଞ୍ଚୟ କରାଯାଏ। ତେବେ ଏହି ଟସର ଚାଷ ଓ ଟସର ଲୁଗା ବିକ୍ରିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ଆଶକରାଯାଉଛି। ଏଥିପାଇଁ ସୁନ୍ଦରଗଡ଼ ଜିଲାର ୧୦୦୦ ହେକ୍ଟର ଜାଗାରେ ପ୍ରାକୃତିକ ଅସନ,ଅର୍ଜୁନ ଗଛ ଥିବା ବେଳେ ପୁଣି ୫୦୦ ହେକ୍ଟର ଜାଗାରେ ଅସନ,ଅର୍ଜୁନ ଗଛ ରୋପଣ ହୋଇଛି। ଗୋଟିଏ ହେକ୍ଟର ପିଛା ହାରାହାରି ୧୮୦୦ଟି ଅସନ/ଅର୍ଜୁନଗଛ ରୋପଣ କରାଯାଇଛି। ଅନ୍ୟପକ୍ଷେ ଓଡ଼ିଶାର ଏହି ରେଶମ ଟସରକୁ ଅନ୍ତର୍ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ପାଇଁ ସରକାରୀସ୍ତରରେ ପ୍ରୋତ୍ସାହନ ସହିତ ଚାଷୀମାନଙ୍କୁ ବୈଷୟିକ ଜ୍ଞାନକୌଶଳ ତାଲିମ ଶିକ୍ଷା ଦେବାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି।
– ବନବିହାରୀ ବେହେରା, ଜୟନାରାୟଣ ମେଣ୍ଡୁଳି,ନୀଳାଦ୍ରି ଦଣ୍ଡପାଟ


Enter your email to get our daily news in your inbox.

All Right Reserved By Dharitri.Com

Uber-Rapido: ନିଜ ବାଇକ୍‌ ଲଗାଇ ମାସକୁ ୩୦ହଜାର ରୋଜଗାର କରନ୍ତୁ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

କିଛି ଚାକିରି ଖୋଜୁଛନ୍ତି କି? କ’ଣ ଆପଣଙ୍କ ପାଖରେ ବାଇକ୍‌ ଅଛି? ତେବେ ନୋ ଟେନଶନ। ବର୍ତ୍ତମାନ ଆପଣ ଏଇ ବାଇକ୍‌ ଦ୍ୱାରା କରିପାରିବେ ମାସକୁ...

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri