Categories: Uncategorized

ଦାଦନ ଦୂର ପାଇଁ ଟାସ୍କଫୋର୍ସ

ଭୁବନେଶ୍ୱର,୧୫।୧୦(ଅନିଲ ଦାସ):ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଓଡ଼ିଶାର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ତଥା ଦାଦନଜନିତ ବିସ୍ଥାପନ ରୋକିବା ନିମନ୍ତେ ସବିଶେଷ ଭାବରେ ଆଲୋଚନା କରିବା ସହ ସେସବୁ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବ। ଏଥିସହ ବିଭିନ୍ନ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକୁ ସୁପାରିସ କରିବ। ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ କାର୍ଯ୍ୟ କରିବ। ୬ ମାସରେ ଥରେ ଟାସ୍କଫୋର୍ସର ବୈଠକ କରାଯାଇ ଦାଦନ ଦୂରୀକରଣ ଦିଗରେ ହୋଇଥିବା ପ୍ରଗତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକର ସମୀକ୍ଷା ହେବ। ଦାଦନ ଦୂରୀକରଣ କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବିଶେଷଜ୍ଞ, ଶିକ୍ଷାବିତ୍‌, ଉନ୍ନୟନ ବିଶେଷଜ୍ଞ, ମିଳିତ ଜାତିସଂଘ ଅନୁବନ୍ଧିତ ସଂସ୍ଥାର ପ୍ରତିନିଧିମାନଙ୍କୁ ମଧ୍ୟ ବୈଠକକୁ ନିମନ୍ତ୍ରିତ କରାଯିବାର ବ୍ୟବସ୍ଥା ରହିଛି।
ଟାସ୍କଫୋର୍ସ ଅଞ୍ଚଳ ଅନୁଯାୟୀ ବିସ୍ଥାପନର ପ୍ରକାର ଭେଦ ନିରୀକ୍ଷଣ କରିବା ସହ ଆବଶ୍ୟକ ନିର୍ଦ୍ଦିଷ୍ଟ ପଦକ୍ଷେପ ଦିଗରେ ସୁପାରିସ କରିବ। ଏଥିସହ ବିସ୍ଥାପନଜନିତ ଆଞ୍ଚଳିକ ବୈଷମ୍ୟତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ନିରାକରଣ ନିମନ୍ତେ ପରାମର୍ଶ ଦେବ। ଏହାଛଡ଼ା ଦାଦନଜନିତ ବିସ୍ଥାପନ ହ୍ରାସ ନିମନ୍ତେ ବିଭିନ୍ନ ବିଭାଗ ଦ୍ୱାରା ଜାରି ରହିଥିବା କାର୍ଯ୍ୟକ୍ରମ ଓ ଏ ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ବ୍ୟବସ୍ଥାର ଅଧ୍ୟୟନ କରାଯିବ। ଦକ୍ଷତା ବିକାଶ, ଋଣ ଯୋଗାଣ, ଦାରିଦ୍ର୍ୟ ନିରାକରଣ ଯୋଜନାରେ ପରିବାରଗୁଡ଼ିକୁ ସାମିଲ କରିବା, ଭିତ୍ତିଭୂମି ଯୋଗାଇ ଦେବା ତଥା ରୋଜଗାର ସୁଯୋଗ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ନିଆଯିବାକୁ ଥିବା ନିର୍ଦ୍ଦିଷ୍ଟ ପଦକ୍ଷେପ ସୁପାରିସ କରିବା, ରାଜ୍ୟ ସରକାରଙ୍କ ଦ୍ୱାରାନିଆଯିବାକୁ ଥିବା ଅନ୍ୟାନ୍ୟ ପଦକ୍ଷେପ ଓ ଯୋଜନା ସୁପାରିସ କରିବା, ସମସ୍ୟାର ସାମଗ୍ରିକ ଏବଂ ସ୍ଥାୟୀ ସମାଧାନ ପାଇଁ ରାଜ୍ୟ, ଜିଲା, ପଞ୍ଚାୟତ ସମିତି ସ୍ତରରେ ଆବଶ୍ୟକ ଆନୁଷ୍ଠାନିକ ଢାଞ୍ଚା ଉପଲବ୍ଧ କରାଇବା ନିମନ୍ତେ ପରାମର୍ଶ ଦେବା, ପ୍ରସ୍ତାବିତ ପଦକ୍ଷେପଗୁଡ଼ିକର ଉନ୍ନତ କାର୍ଯ୍ୟାନ୍ବୟନ ପାଇଁ ବିଶେଷଜ୍ଞ ସଂସ୍ଥା, ନାଗରିକ ସମାଜ ଓ ବୈଷୟିକ ସଙ୍ଗଠନଗୁଡ଼ିକ ସହ ସହଭାଗିତା ଆଦି ବିଷୟରେ ବିଚାର କରାଯିବ। ଏହାବ୍ୟତୀତ ଏହି ସମସ୍ତ ପଦକ୍ଷେପ ପାଇଁ ସମ୍ବଳର ଉପଲବ୍ଧତାକୁ ସୁନିଶ୍ଚିତ କରାଇବା ଓ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଭାରତ ସରକାର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆବଶ୍ୟକ ସମନ୍ବୟ ଆଦି ବିଷୟରେ ଟାସ୍କଫୋର୍ସ ଦ୍ୱାରା ଆଲୋଚନା ଓ ସୁପାରିସ କରାଯିବ।