Posted inଫୁରସତ

ତସଲିମା ନାସରିନ- ରୁଦ୍ରଙ୍କ ପ୍ରେମ, ବିବାହ, ବିଚ୍ଛେଦ

ତସଲିମା ନାସରିନ ପ୍ରେମ କରି ବିବାହ କରିଥିଲେ କବି ରୁଦ୍ର ମହମ୍ମଦ ଶହୀଦୁଲ୍ଲାଙ୍କୁ । ତେବେ ଏକାଧିକ ପ୍ରେମର ଅଭିଯୋଗ କରି ରୁଦ୍ରଙ୍କୁ ଛାଡ଼ି ଚାଲିଯାଆନ୍ତି ତସଲିମା । ତସଲିମାଙ୍କ ସହିତ ବିବାହ ବିଚ୍ଛେଦର ଚାରିବର୍ଷ ପରେ ଅର୍ଥାତ୍‌ ୧୯୯୧ ମସିହାରେ ରୁଦ୍ରଙ୍କର ମୃତ୍ୟୁ ହୁଏ। ଅତ୍ୟଧିକ ମାଦକ ସେବନ ତାଙ୍କର ଅକାଳ ମୃତ୍ୟୁର କାରଣ ବୋଲି ପ୍ରଚାରିତ ହୁଏ। ରୁଦ୍ରଙ୍କ ମୃତ୍ୟୁପରେ ତାଙ୍କ ରଚିତ ‘ଆମାର ଭିତର ବାହିରେ ଅନ୍ତରେ ଅନ୍ତରେ’ (ମୋର ଭିତରେ ବାହାରେ ଅନ୍ତରେ ଅନ୍ତରେ ) ଶୀର୍ଷକ କବିତାଟି ଆବିଷ୍କୃତ ହୁଏ, ପରବର୍ତ୍ତୀ କାଳରେ ଏହି କବିତାଟି ଅପୂର୍ବ ଲୋକପ୍ରିୟତା ହାସଲ କରିଥିଲା । ଅନେକଙ୍କ ମତରେ ରୁଦ୍ର ତସଲିମାଙ୍କୁ ଉଦ୍ଦେଶ୍ୟ କରି ଏହି କବିତାଟି ରଚନା କରିଥିଲେ । ଏହି କବିତାର ଜବାବରେ ତସଲିମା ନାସରିନ ମଧ୍ୟ ଗୋଟିଏ କବିତା ଲେଖିଥିଲେ, ଯେଉଁ କବିତାରେ ସେ ରୁଦ୍ରଙ୍କ ପ୍ରତି ତାଙ୍କର ପ୍ରେମର କଥା ଲେଖିବା ସହିତ ରୁଦ୍ରଙ୍କର ଏକାଧିକ ପ୍ରେମର କଥା ମଧ୍ୟ ଉଲ୍ଲେଖ କରିଥିଲେ।

ମୋର ଭିତରେ ବାହାରେ ଅନ୍ତରେ ଅନ୍ତରେ
-ରୁଦ୍ର ମହମ୍ମଦ ଶହୀଦୁଲ୍ଲା
”ମୋର ଭିତରେ ବାହାରେ ଅନ୍ତରେ ଅନ୍ତରେ
ଅଛ ତୁମେ ହୃଦୟ ଆବୋରି
ଘୋଡ଼ାଇ ରଖେ ଯେପରି କୁସୁମ
ପାଖୁଡ଼ାର ଆଢ଼ୁଆଳରେ ଫସଲର ନିଦ
ସେପରି ତୁମର ନିବିଡ଼ ଚାଲିବା
ମରମର ମୂଳ ପଥ ଧରି
ପୋଷି ରଖେ ଯେପରି ଶାମୁକା
ଖୋଳପାର ଆବରଣରେ ମୁକ୍ତାର ସୁଖ
ସେହିପରି ତୁମ ଆଖିର
ଗଭୀର ନୀଳ ବନ୍ଦରରେ
ଭଲ ଅଛି, ଭଲ ଥାଅ
ଆକାଶର ଠିକଣାରେ ଚିଠି ଲେଖିବ
ଦେବ ତୁମର ହାରଟା
ବାଉଲର ଏହି ମନକୁ ।“

*ରୁଦ୍ରଙ୍କର ଏହି କବିତାର ଜବାବରେ ତସଲିମା ଲେଖିଥିଲେ …..
ପ୍ରିୟ ରୁଦ୍ର, ପ୍ରଯତ୍ନରେ, ଆକାଶ ତୁମେ ଆକାଶର ଠିକଣାରେ ଚିଠି ଲେଖିବା ପାଇଁ କହିଥିଲ । ତୁମେ କ’ଣ ଏବେ ଆକାଶରେ ଅଛ? ତୁମେ କ’ଣ ଆକାଶରେ ଉଡ଼ି ବୁଲୁଛ? ତୁଳା ପରି, ପକ୍ଷୀ ପରି ? ତୁମେ ଏହି ଜଗତ ସଂସାର ଛାଡ଼ି ଆକାଶକୁ ଚାଲି ଯାଇଛ। ତୁମେ ଅସଲରେ ବଞ୍ଚି ଯାଇଛ ରୁଦ୍ର! ଆଚ୍ଛା, ତୁମକୁ କ’ଣ ପକ୍ଷୀ ହୋଇ ଉଡ଼ି ଫେରି ଆସିବାକୁ ଇଚ୍ଛା ହୁଏ ନାହିଁ? ତୁମର ସେହି ଇନ୍ଦିରା ରୋଡ଼ର ଘରକୁ, ପୁଣି ସେହି ନୀଳ ଖେତ, ଶାହବାଗ, ପରୀବାଗ, ଲାଲବାଗ ଚଷି ବୁଲିବାକୁ? ଇଚ୍ଛା ତୁମର ହୁଏନାହିଁ, ଏକଥା ମୁଁ ଆଦୌ ବିଶ୍ବାସ କରେ ନାହିଁ, ଠିକ ଇଚ୍ଛା ହୁଏ ତୁମର, କିନ୍ତୁ ପାର ନାହିଁ । ଅଥଚ ଏକଦା ତୁମର ଯାହା ଇଚ୍ଛା ତାହା କରୁଥିଲ। ଇଚ୍ଛା ହେଲେ ରାତିସାରା ନ ଶୋଇ ଗପ କରୁଥିଲ ଯେ କରୁଥିଲ । ଇଚ୍ଛା ହେଲେ ଦିନସାରା ବୁଲୁଥିଲ ଯେ ବୁଲୁଥିଲ। କିଏ ତୁମକୁ କ’ଣ ବାଧା ଦେଉଥିଲେ? ଜୀବନ ତୁମର ହାତ ମୁଠାରେ ଥିଲା। ଜୀବନକୁ ନେଇ ଯେମିତି ଇଚ୍ଛା ଖେଳିଛ। ଭାବି ଦେଖିଲେ ମୋତେ ଅବାକ ଲାଗେ ଯେ ଜୀବନ ଏବେ ଆଉ ତୁମର ହାତ ମୁଠାରେ ନାହିଁ। ସେମାନେ ତୁମକୁ ଟ୍ରକ ଉପରେ ଲଦି ମିଠେଖାଲି ଠାରେ ମାଟି ତଳେ ରଖି ଆସିଲେ, ତୁମେ ପ୍ରତିବାଦ କରିପାରିଲ ନାହିଁ।

ଆଚ୍ଛା, ତୁମର ଲାଲବାଗର ସେହି ପ୍ରେମିକାଙ୍କ ଖବର କ’ଣ, ଦୀର୍ଘବର୍ଷ ପ୍ରେମ କରିଥିଲ ତୁମର ଯେଉଁ ‘ନେଲୀ ଖାଲା’ ସହିତ ? ସେହି କାରଣରୁ ତୁମର ଦିସ୍ତା ଦିସ୍ତା ପ୍ରେମ କବିତା ଦେଖି ମୁଁ ଦିନେ ଭୀଷଣ କାନ୍ଦିଥିଲି । ତୁମେ ଆଉ କାହାକୁ ପ୍ରେମ କରୁଛ, ସେକଥା ମୁଁ ସହି ପାରୁ ନ ଥିଲି। କି ଅବୁଝା ବାଳିକା ଥିଲି ମୁଁ । ନୁହେଁ? ଯେମିତି ମୋତେ ହିଁ କେବଳ ତୁମେ ଭଲ ପାଇବ। ଯେମିତି ଆମେ ଦୁଇଜଣ ଜନ୍ମଗ୍ରହଣ କରିଛୁ ଦୁଇଜଣଙ୍କ ପାଇଁ । ଯେଉଁଦିନ ଘରୁ ଟ୍ରକ ଡାଲାରେ ଲଦି ତୁମକୁ ନେଇଗଲେ, ମୋର ଶ୍ୱାସରୁଦ୍ଧ ହୋଇ ଆସୁଥିଲା । ଢାକା ସହରକୁ ମୋତେ ଏତେ ଫାଙ୍କା ଆଉ କେବେ ଲାଗି ନାହିଁ। ଛାତି ତଳେ ଏତେ ହାହାକାର ଆଉ କେବେ ଜାଣିନାହିଁ। ସେହିଦିନ ହିଁ ମୁଁ ଢାକା ସହର ଛାଡ଼ି ମୟନସିଂହ ଚାଲି ଯାଇଥିଲି। ମୋ ଘରେ ଥିବା ବାକ୍ସ ଭର୍ତ୍ତି ତୁମର ସବୁ ଚିଠି କାଢ଼ି ହାତରେ ଧରି କାନ୍ଦରେ ଫାଟି ପଡ଼ିଥିଲି । ଆମର ବିଚ୍ଛେଦ ଥିଲା ଚାରି ବର୍ଷର। ଏତେ ବର୍ଷ ପରେ ମଧ୍ୟ ତୁମେ କ’ଣ ସତରେ ମୋ ଛାତିର ଅତଳ ଗଭୀରରେ ରହିଥିଲ ! ସେଦିନ ମୁଁ ତାହା ଅନୁଭବ କରିପାରିଥିଲି ।

ଏବେ ଭୀଷଣ ହସ ମାଡ଼େ ଦେଖି ଯେ, ଏବେ ତୁମର ଶହ ଶହ ବନ୍ଧୁ ବାହାରୁଛନ୍ତି । ସେମାନେ ସେତେବେଳେ କୋଉଠି ଥିଲେ ? ଯେତେବେଳେ ପଇସାର ଅଭାବରେ ତୁମେ କେବଳ ଗୋଟିଏ ସିଙ୍ଗଡ଼ା ଖାଇ ଦିନ କଟାଉଥିଲ? ନ ହେଲା ବା ମୁଁ ସେତେବେଳେ ଆଉ ତୁମର ହୋଇ ରହି ନ ଥିଲି , ତୁମକୁ ଛାଡ଼ି ଚାଲି ଯାଇଥିଲି ବୋଲି। ଏଇ, ଏବେ ତୁମ ନାମରେ ଯେଉଁ ଶ୍ରଦ୍ଧାଞ୍ଜଳି ସଭା ସବୁ ହେଉଛି, ସେହିସବୁ ସଭାରେ ବୋଧହୁଏ ତୁମର ପରିଚିତା ଏକମାତ୍ର ମୁଁ ହିଁ ଅନୁପସ୍ଥିତ ଥାଏ। ଯେଉଁମାନେ ଏବେ ରୁଦ୍ର ରୁଦ୍ର ବୋଲି ମାତି ଉଠୁଛନ୍ତି, ବୁଝିପାରୁନାହିଁ ଯେ ସେମାନେ ସେତେବେଳେ କୋଉଠି ଥିଲେ ।
ଆଡ଼କୁ ତୁମେ ଶିମୁଲ ନାଁ ରେ ଜଣେ ଝିଅକୁ ଭଲ ପାଉଥିଲ । ତା ’ ସହିତ ତୁମର ବାହା ହେବାର କଥାବାର୍ତ୍ତା ବି ଚାଲିଥିଲା । ମୋ ଆଗରେ ଦିନେ ଶିମୁଲ କଥା ଗପିଥିଲ। ତୁମେ ବୁଝିପାରି ନ ଥିଲ ଯେ ସେକଥା ଶୁଣି ମୋତେ ଭୀଷଣ କଷ୍ଟ ହେଉଥିଲା । ଏକଥା ଭାବି ଯେ ତୁମେ କେତେ ଅନାୟାସରେ ପ୍ରେମ କରୁଛ ! ତା’ର ଗପ ଶୁଣାଉଛ । ଠିକ୍‌ ସେହିପରି ଅନୁଭବ କ’ଣ ତୁମର ଥିଲା ମୋ ପାଇଁ ? ଆଜି ଆଉ ଜଣକ ପାଇଁ ତୁମର ଅସ୍ଥିରତା । ତା’ ସହିତ ନିର୍ଧୂମ୍‌ ରାତି କଟାଇବାର ଗପ ଶୁଣି ମୋତେ କ’ଣ କାନ୍ଦ ମାଡ଼ିବ ନାହିଁ, କୁହ ? ତୁମେ ଶିମୁଲକୁ ନେଇ କି କି କବିତା ଲେଖିଛ କେତେ ସହଜରେ ସେସବୁ ତୁମେ ମୋତେ ଶୁଣାଇଲ ! ମୋତେ ପୁଣି ପ୍ରଶ୍ନ କରିଥିଲ, କେମିତି ହୋଇଛି ବୋଲି । ମୁଁ କହିଥିଲି , ଖୁବ ସୁନ୍ଦର । ଶିମୁଲକୁ ମୁଁ କେବେ ଦେଖିନାହିଁ। ତୁମେ ଯେତେବେଳେ ମୋ ଆଗରେ ତା’ କଥା କହୁଥିଲ ତୁମେ ତାକୁ ଭଲପାଅ ବୋଲି, ସେତେବେଳେ ମୁଁ ମୋର କଷ୍ଟ ତୁମକୁ ବୁଝିବାକୁ ଦେଇନାହିଁ । ତୁମକୁ ଛାଡ଼ି ଚାଲିଯାଇଛି ଠିକ୍‌ କିନ୍ତୁ ମୁଁ ଅନ୍ୟ କାହାକୁ ଭଲପାଇ ପାରିନାହିଁ । ଭଲପାଇବା ଯାହାକୁ ତାହାକୁ ବାଣ୍ଟିବା ଜିନିଷ ନୁହେଁ । ଆକାଶ ସହିତ ପ୍ରତିଦିନ କେତେ କଥା ହୁଏ ।

କଷ୍ଟର କଥା, ସୁଖର କଥା । ଦିନେ ଆକାଶଭର୍ତ୍ତି ଜ୍ୟୋସ୍ନାରେ ଦେହ ଭାସି ଯାଉଥିଲା ଆମର । ତୁମେ ତୁମର କିଛି ଦୁଃଖର କଥା କହି ସାରିବା ପରେ ନିଜ ଲେଖା କବିତା ଶୁଣାଇଥିଲ – ”ଭଲ ଅଛି, ଭଲ ଥାଅ , ଆକାଶର ଠିକଣାରେ ଚିଠି ଲେଖିବ ।“ ମଂଲାରେ ବସି ସେହି କବିତା ଲେଖିଥିଲ । ମନେ ମନେ ତୁମେ କାହାର ଚିଠି ପାଇଁ ଅପେକ୍ଷା କରିଥିଲ ?
ମୋର ? ନେଲୀ ଖାଲାର ? ଶିମୁଲର ? କାହାର ? ଅନେକ ଦିନ ଇଚ୍ଛା ହୋଇଛି ତୁମକୁ ଖଣ୍ଡେ ଚିଠି ଲେଖନ୍ତି । ଏମିତି ଗୋଟିଏ ସମୟ ଥିଲା ଯେତେବେଳେ ମୁଁ ତୁମକୁ ପ୍ରତିଦିନ ଚିଠି ଲେଖୁଥିଲି । ତୁମେ ବି ଲେଖୁଥିଲ ପ୍ରତିଦିନ । ସେଥର ଆରମାନିଟୋଲା ଘରେ ବସି ଦେଇଥିଲ ଆକାଶର ଠିକଣା । ତୁମେ ପାଇବ ତ ଏହି ଚିଠି ? ଜୀବନ ଏବଂ ଜଗତର ତୃଷ୍ଣା ତ ମଣିଷର କେବେ ମେଣ୍ଟେ ନାହିଁ, ତଥାପି ମଣିଷ ଆଉ କେତେଦିନ ବା ବଞ୍ଚି ରହେ, କୁହ ? ଦିନ ତ ସରିଯାଏ । ମୋର କ’ଣ ଦିନ ସରି ଆସୁନାହିଁ ? ତୁମେ ଭଲରେ ଥାଅ । ମୁଁ ଆଦୌ ଭଲ ନାହିଁ ।

ଇତି । ସକାଳ
ପୁନଶ୍ଚ …… ମୋତେ ତୁମେ ସକାଳ ବୋଲି ଡାକୁଥିଲ । କେତେକାଳ ହେଲା ସେହି ଡାକ ଆଉ ଶୁଣି ନାହିଁ । ତୁମେ କ’ଣ ଆକାଶରୁ ‘ସକାଳ’ , ‘ସକାଳ ମୋର’ ବୋଲି ମଝିରେ ମଝିରେ ଡାକୁଛ ? କି ମୁଁ ଭୁଲ ଶୁଣୁଛି ?
-ପ୍ରଦୀପ କୁମାର ରାୟ,
ମୋ: ୯୪୩୭୫୩୪୭୭୩


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri