ନୂଆଦିଲ୍ଲୀ,୧୬ା୯: ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନୀ ଟାଟା ସନ୍ସରେ ନେତୃତ୍ୱ ପରିବର୍ତ୍ତନ ନେଇ ମଙ୍ଗଳବାର ଏକ ଖବର ମିଡ଼ିଆରେ ପ୍ରକାଶ ପାଇଥିଲା। ଏହାକୁ ନେଇ ଟାଟା ଗ୍ରୁପର ସେବା ନିବୃତ ଅଧ୍ୟକ୍ଷ ରତନ ଟାଟା ଏବଂ ଟାଟା ସନ୍ସର ଅଧ୍ୟକ୍ଷ ଏନ୍.ଚନ୍ଦ୍ରଶେକରନ ବୁଧବାର ସ୍ପଷ୍ଟୀକରଣ ରଖିଛନ୍ତି। ନେତୃତ୍ୱ ପରିବର୍ତ୍ତନ ଖବରକୁ ଉଭୟ ଖଣ୍ଡନ କରିଛନ୍ତି। ଗଣମାଧ୍ୟମରେ ନିକଟରେ ପ୍ରକାଶିତ ଏଭଳି ଖବରକୁ ନେଇ ଅତ୍ୟନ୍ତ ଦୁଃଖିତ ବୋଲି ରତନ ଟାଟା କହିଛନ୍ତି। ଏମିତି କିଛି ଯୋଜନା କମ୍ପାନୀ ହାତକୁ ନେଇନାହିଁ ବୋଲି ଚନ୍ଦ୍ରଶେକରନ କହିଛନ୍ତି। ଗ୍ରୁପ ବିଜ୍ନେସକୁ ଦେଖିବା ଲାଗି ଏକ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ପଦବୀ ସୃଷ୍ଟି କରାଯିବ ବୋଲି ମଙ୍ଗଳବାର କିଛି ମିଡିଆରେ ଖବର ପ୍ରକାଶ ପାଇଥିଲା। ସେହିଭଳି ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଚନ୍ଦ୍ରଶେକରନଙ୍କୁ ଦ୍ୱିତୀୟ ପାଳିର ସୁଯୋଗ ମିଳିବ ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଥିଲା।