ନୂଆଦିଲ୍ଲୀ,୨୫।୭: କରୋନା ପ୍ରଭାବ ଘରୋଇ ବଜାର ଉପରେ ପରିଲକ୍ଷିତ ହୋଇଛି। ଏଥି ଯୋଗୁ ଟାଟା କୁମ୍ୟୁନିକେଶନ ଏହାର କର୍ମଚାରୀଙ୍କ ଏକ ବଡ ଅଂଶକୁ ଛୁଟିରେ ପଠାଇଥିବା ଜଣାପଡିଛି। ପ୍ରାୟ ୪୦୦ କର୍ମଚାରୀଙ୍କୁ ପେଡ୍ ଲିଭ୍ ମିଳିଥିବା ବେଳେ କିଛି କର୍ମଚାରୀଙ୍କୁ ବିନା ଦରମାରେ କମ୍ପାନୀ ଛୁଟିରେ ପଠାଇ ଦେଇଥିବା ଏକ ରିପୋର୍ଟରୁ ଜଣାପଡିଛି। କର୍ମଚାରୀଙ୍କ ଚାକିରି ରହିବ ଏବଂ ସେମାନଙ୍କ ପରିବାରକୁ ବର୍ଷ ଶେଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ସୁବିଧା ଉପଲବ୍ଧ ହେବ ବୋଲି କମ୍ପାନୀର ମୁଖପାତ୍ର କହିଛନ୍ତି। କର୍ମଚାରୀଙ୍କ ପକ୍ଷରୁ ନ୍ୟାଶନାଲ ଇନଫରମେଶନ ଟେକ୍ନୋଲୋଜି ଏମ୍ପ୍ଲଇ ସିନେଟ ଏ ନେଇ ପୁନେ ଶ୍ରମ କମିଶନରଙ୍କଠାରେ ଏକ ଅଭିଯୋଗ କରାଯାଇଛି। କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଭିଯୋଗରେ କୁହାଯାଇଛି। ଏହି କର୍ମଚାରୀଙ୍କୁ କମ୍ପାନୀ ରଖିବ କି ବାଦ ଦେବ ସେ ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ହୋଇ ନ ଥିବା ମୁଖପାତ୍ର କହିଛନ୍ତି।