Advertisement

କରୋନା ଦ୍ୱିତୀୟ ଲହର ନେଇ ବଦଳିଲା ନିଷ୍ପତ୍ତି: ବନ୍ଦ ହେବନି ଟାଟା କୋଭିଡ୍‌ ହସ୍ପିଟାଲ

ଛତ୍ରପୁର, ୨୦।୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଶିତଳାପଲିଠାରେ ଥିବା ଟାଟା କୋଭିଡ ହସ୍ପିଟାଲ ଚଳିତ ମାସ ୩୦ ତାରିଖରୁ ବନ୍ଦ କରିଦେବାପାଇଁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚିଠି ଦ୍ୱାରା ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ମାତ୍ର ଏହାର ୪୮ ଘଣ୍ଟା ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଟାଟା କୋଭିଡ୍‌ ହସ୍ପିଟାଲ ଚାଲୁ ରହିବ ବୋଲି ପୁଣି ଜ଼ିଲାପାଳ ଚିଠି ଦ୍ୱାରା ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇଛନ୍ତି। ଟାଟା କୋଭିଡ ହସ୍ପିଟାଲର ୫୫ ଆଇସିୟୁ ବେଡ୍‌ ରହି କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିବ ବୋଲି ଉକ୍ତ ଚିଠିରେ ଜ଼ିଲ୍ଲାପାଳ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ଖୁବ କମ କରୋନା ରୋଗୀ ଏଠାକୁ ଆସୁଥିବାରୁ ଏହି ହସ୍ପିଟାଲ ବନ୍ଦ କରିବା ସହ ଟାଟା କୋଭିଡ ହସ୍ପିଟାଲରେ ଆଉ ନୂଆ କରୋନା ସଂକ୍ରମିତଙ୍କୁ ଆଡମିଟ ନ କରିବାକୁ ଜ଼ିଲାପାଳ ପୂର୍ବରୁ ଚିଠି କରିଥିଲେ।

ପ୍ରକାଶଯୋଗ୍ୟ, ନବନିର୍ମିତ ଟାଟା ହସ୍ପିଟାଲକୁ ଓଡିଶା ସରକାର ଟାଟା କୋଭିଡ ହସ୍ପିଟାଲରେ ପରିଣତ କରିଥିଲେ। କରୋନା ପୀଡିତଙ୍କୁ ଏଠାରେ ପ୍ରଥମେ ଚିକିତ୍ସା ଆରମ୍ଭ କରାଯାଇଥିଲା। ପରେ ସରକାରଙ୍କ ପକ୍ଷରୁ ଏହାର ପରିଚାଳନା ଦାୟିତ୍ୱ ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଦିଆଯାଇଥିଲା। ଏଥିସହ ଏଥିସହ ଆହୁରି ସୂଚନା ଦିଆଯାଇଛି ଯେ ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଏବଂ ଅଶ୍ୱିନୀ କୋଭିଡ ଚିକିତ୍ସାଳୟ କେନ୍ଦ୍ର ଦୁଇଟିରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ଅପରପକ୍ଷରେ ଗଞ୍ଜାମ ଜିଲାରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ କମ ରହିଛି । ତେବେ ବିଭିନ୍ନ ଦେଶ ଓ ଭାରତର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଓ ତୃତୀୟ ଲହର ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଆହୁରି ସଚେତନ ରହିବା ସହ କୋଭିଡ ନିୟମକୁ ମାନିବାକୁ ପଡିବ ବୋଲି ଜ଼ିଲାପାଳ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share