Categories: ଜାତୀୟ

କ୍ୟାନ୍‌ସରରୁ ବଞ୍ଚାଇବ ୧୦୦ ଟଙ୍କାର ସ୍ବଦେଶୀ ଟାବଲେଟ୍‌

ନୂଆଦିଲ୍ଲୀ, ୨୯।୨: ଆମେରିକା ଓ ଚାଇନା ପରେ ବିଶ୍ୱର ତୃତୀୟ ସର୍ବାଧିକ କ୍ୟାନ୍‌ସର ରୋଗୀ ଭାରତରେ ଥିବାବେଳେ ଅଧିକାଂଶ ସ୍ଥାନରେ ଚିକିତ୍ସା ପରେ ମଧ୍ୟ ରୋଗୀଙ୍କ ଶରୀରରେ ପୁନର୍ବାର କ୍ୟାନ୍‌ସରର ଲକ୍ଷଣ ଦେଖାଦେଇଥାଏ। କର୍କଟ ରୋଗର ସର୍ବବୃହତ୍‌ ମେଡିକାଲ ଟାଟା ମେମୋରିଆଲ୍‌ ହସ୍ପିଟାଲର ଡାକ୍ତରମାନେ ଏହାର ସମାଧାନ ବାହାର କରିଛନ୍ତି। ହସ୍ପିଟାଲ ପକ୍ଷରୁ ଟାବ୍‌ଲେଟ ନିର୍ମାଣ ହୋଇଛି। ଯାହାଦ୍ୱାରା କ୍ୟାନ୍‌ସରରୁ ସୁସ୍ଥ ଲାଭ କରିଥିବା ବ୍ୟକ୍ତିଙ୍କୁ ପୁଣି ଥରେ ଏହି ରୋଗ ହେବ ନାହିଁ। ଏହି ଟାବଲେଟ୍‌ ଦ୍ୱାରା କେମୋରେଡିଏସ୍‌ନ୍‌ର ପ୍ରଭାବ ମଧ୍ୟ କମ ହେବ। ଭାରତରେ ବଢ଼ୁଥିବା କର୍କଟ ରୋଗୀଙ୍କ ସଂଖ୍ୟା ଦେଖି ଟାଟା ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ୍‌ ରିସର୍ଚ୍ଚର ବୈଜ୍ଞନିକମାନେ ଏହିପରି ଏକ ଟାବଲେଟକୁ ବିକଶିତ କରିଛନ୍ତି, ଯାହା ଦ୍ୱାରା କ୍ୟାନ୍‌ସର ରୋଗର ଉନ୍ନତ ଧରଣର ଚିକିତ୍ସା ହେବା ସହ ମଣିଷ ଶରୀରରେ ଏହାର ପୁନରାବୃତ୍ତିକୁ ରୋକାଯାଇପାରିବ। ପ୍ରାୟ ଗୋଟିଏ ଦଶନ୍ଧି ଧରି ଟାଟା ମେମୋରିଆଲ ହସ୍ପିଟାଲର ଡାକ୍ତରମାନେ ଏହି ଟାବଲେଟକୁ ବିକଶିତ କରିବାରେ କାର୍ଯ୍ୟ କରିଥିବା ବେଳେ ଶେଷରେ ସେମାନଙ୍କୁ ସଫଳତା ମିଳିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ସଂସ୍ଥା (ଏଫ୍‌ଏସ୍‌ଏସ୍‌ଏଆଇ)ର ମଞ୍ଜୁରୀ ଅପେକ୍ଷାରେ ଏହି ଟାବଲେଟ୍‌ ରହିଛି। ମାତ୍ର ୧୦୦ ଟଙ୍କାରେ ଏହି ଟାବଲେଟ୍‌ ଉପଲବ୍ଧ ହେବ ବୋଲି ଟାଟା ମେମୋରିଆଲ ହସ୍ପିଟାଲର ବରିଷ୍ଠ କ୍ୟାନ୍‌ସର ସର୍ଜନ ଡାକ୍ତର ରାଜେନ୍ଦ୍ର ବଡଓ୍ବେ ସୂଚନା ଦେଇଛନ୍ତି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଶସ୍ତା ଚିକିତ୍ସା ହୋଇଥିବା ସହ ଏହାଦ୍ୱାରା କର୍କଟ ରୋଗ ପୁନର୍ବାର ଶରୀରରେ ବ୍ୟାପିବାର ସମ୍ଭାବନା କମ୍‌ ହେବ ବୋଲି ସେ କହିଛନ୍ତି।

Share